Unknown

 

 

 

 

 

 

 

 

 

 

ଲାଲ୍ ପାଗୋଡ଼ାର ପ୍ରେତ

ରବୀନ୍ଦ୍ରନାଥ ସିଂହ

 

ପ୍ରକାଶକଙ୍କ ମନ୍ତବ୍ୟ

 

କବି ରବୀନ୍ଦ୍ରନାଥ ସିଂହଙ୍କର ସଂକ୍ଷିପ୍ତ ପରିଚୟ ଦେବାକୁଯାଇ ଡକ୍ଟର ତ୍ରିବିକ୍ରମ ପତିଙ୍କ ଭାଷାରେ କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ କବି ଶ୍ରୀ ସିଂହ ‘ମୋ ଜାତିର ମାୟକୋଭସ୍କି (Mayakovsky of my People.) ।’

 

ଅତି ଅଳ୍ପଦିନ ଭିତରେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ତାଙ୍କର ଅଭ୍ୟୁତ୍‍ଥାନ ନିଦ୍ରିତ-ମନକୁ ଯେତିକି ସଚେତନ କରିଛି, ଯେତିକି ରାତ୍ରି ଶେଷର ସଂକେତ ଦେଇଛି, ତାଠାରୁ ବହୁ ଗୁଣରେ ସୂଚିତ କରିଛି ନୂତନ ଦିନର ଅପ୍ରତିରୋଧ୍ୟ ସମ୍ଭାବନା । କାବ୍ୟପୀଠରେ ଜଣେ ସତ୍ୟନିଷ୍ଠ ସାଧକ ହିସାବରେ ଅଳ୍ପକାଳ ଭିତରେ ସେ ଯେପରି ଅ-ସାଧାରଣ କୃତିତ୍ଵ ପ୍ରଦର୍ଶନ କରିଛନ୍ତି ତାହା ପ୍ରାୟ ଅନ୍ୟତ୍ର ବିରଳ ।

 

କବି ରବୀନ୍ଦ୍ରନାଥ ସିଂହ ତାଙ୍କ ନିଜର ରଚନା ଓ ସାଧନା ବଳରେ ସାହିତ୍ୟ କ୍ଷେତ୍ରରେ ଖାଲି ପରିଚିତ ନୁହନ୍ତି, ବର୍ତ୍ତମାନ ତରୁଣ କବି-ସାହିତ୍ୟିକ ଗୋଷ୍ଠୀ ବୋଇଲେ ଆମେ ଯେଉଁମାନଙ୍କୁ ବୁଝୁଁ ସେମାନଙ୍କ ଭିତରେ ସେ ପ୍ରତିଷ୍ଠିତ ଓ ଅଗ୍ରଗଣ୍ୟ ।

 

ରାଶି ରାଶି କାବ୍ୟ-କବିତା, ସାହିତ୍ୟିକ ସମାଲୋଚନା, କ୍ଷୁଦ୍ରଗଳ୍ପ, ଭ୍ରମଣ କାହାଣୀ, ଭାଷାନ୍ତର ଆଦି ଯାହା ତାଙ୍କର ସୃଷ୍ଟି ତାହା ପ୍ରାୟ ୧୨।୧୩ ଖଣ୍ତି ଛାପା ବହି ଆକାରରେ ପ୍ରକାଶିତ ହୋଇଛି ।

 

ତାଙ୍କର ‘ଚରମ ପତ୍ର’ କାବ୍ୟଗ୍ରନ୍ଥ ଦିନେ ଯେପରି ପାଠକ ମହଲରେ ଆଦୃତ ହୋଇ ଏକ ଆଲୋଡ଼ନ ସୃଷ୍ଟି କରିଥିଲା, ଆଜି ପୁଣି ଏହି କ୍ଷୁଦ୍ର କାବ୍ୟଗ୍ରନ୍ଥ “ଲାଲ୍ ପାଗୋଡ଼ାର ପ୍ରେତ” ତାଠାରୁ ଯଥେଷ୍ଟ ବେଶୀ ଆଦୃତ ହେବ ବୋଲି ମୋର ବିଶ୍ଵାସ । କାରଣ କବି ଶ୍ରୀ ସିଂହ କୋଣାର୍କ ସୃଷ୍ଟିର ଅନ୍ଧକାରମୟ ଇତିହାସର ଯେଉଁ ଦିଗ୍‍ଦର୍ଶନ ଏଠି ଦେଇଅଛନ୍ତି ତାହା ସଂପୂର୍ଣ୍ଣ ଅଭିନବ ।

 

ଡକ୍ଟର ତ୍ରିବିକ୍ରମ ପତିଙ୍କ ଦ୍ଵାରା ଅନୁଦିତ ଏହି ଗ୍ରନ୍ଥର ଇଂରାଜୀ ସଂସ୍କରଣ ନିକଟରେ ଓଡ଼ିଶା ବାହାରୁ “Ghost of the Black Pagoda & other poems of Mr. Rabindranath Singh.” ନାମରେ ଆତ୍ମପ୍ରକାଶ କରିବାକୁ ଯାଉଛି ।

 

୧୯୬୨ ମସିହାରେ ‘ଝଂକାର’ରେ ଗୋଟିଏ ସଂଖ୍ୟାରେ “ଲାଲ୍ ପାଗୋଡ଼ାର ପ୍ରେତ”ର କୀୟଦଂଶ ପ୍ରକାଶ ପାଇଥିଲା । ପୂର୍ଣ୍ଣାଙ୍ଗ କବିତାଟି ବହିର ପ୍ରଥମରୁ ଦିଆହୋଇଛି । ଏହା ବ୍ୟତୀତ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ କବିଙ୍କର କେତେକ ପ୍ରତିନିଧିମୂଳକ କବିତା ମଧ୍ୟ ପୁସ୍ତକରେ ସନ୍ନିବେଶିତ କରାଯାଇଛି ।

 

“ଲାଲ୍ ପାଗୋଡ଼ାର ପ୍ରେତ”ର ଜନ୍ମତିଥି ଆଜି । ସେଥିପାଇଁ ବ୍ୟକ୍ତିଗତ ଭାବରେ ମୁଁ ଯେତିକି ଆନନ୍ଦିତ; ବୃହତ୍ତର ଓଡ଼ିଆ ସାହିତ୍ୟର କାବ୍ୟ-ପାଠକେ ମଧ୍ୟ ସେତିକି ଆନନ୍ଦିତ ହେବେ ବୋଲି ମୋର ଆଶା ଏବଂ ବିଶ୍ଵାସ ।

 

 

ଡାକ୍ତର ସୁରେନ୍ଦ୍ର ମୋହନ ଦାସ

 

୧୪ ଅଗଷ୍ଟ, ୧୯୬୩

 

 

କ୍ୟାଂପ୍: ବଂଗାଳିସାହି, କଟକ

 

୩୧ ଜୁଲାଇ, ୧୯୬୩

 

(ରୋଗଶଯ୍ୟା)

 

ଆତ୍ମସମାଲୋଚନା (Self-criticism) ମଣିଷକୁ, ମଣିଷ ଜାତିକୁ, ତାର ସଂସ୍କୃତିକୁ ଖାଲି ମହୀୟାନ୍, ଉଦାର, ନିଷ୍କଳୁଷ କରେନାହିଁ; ପରିଣତ କରେ ଶୁଦ୍ଧସୁବର୍ଣ୍ଣରେ । ଏଇ ଉପଲବ୍ଧି ନେଇ ଅତି ନିକଟରୁ ବହୁବାର ମୁଁ ଦେଖିଛି କୋଣାର୍କକୁ ।

 

ସତ୍ୟର ସଂଧାନ କରିବା ମୋର କାମ ନୁହେଁ-ସତ୍ୟ ସୃଷ୍ଟି ହିଁ ମୋର ଧର୍ମ । ଏଇ ଆତ୍ମବିଶ୍ଵାସ ଏଠି ମୋତେ ନିର୍ଦ୍ଦେଶ ଦେଇଛି ଏକ ଜ୍ଵଳଂତ ସତ୍ୟ (ଯଦିଓ ତାହା ଅପ୍ରିୟ) ସୃଷ୍ଟି କରିବା ପାଇଁ । ମୁଁ ଜାଣେ ମୋର ଏଇ ସୃଷ୍ଟିରେ ମ୍ରିୟମାଣ ହେବେ ସେହିମାନେ ଯେଉଁମାନେ ଏ ଆବର୍ଜନାପୂର୍ଣ୍ଣ ସମାଜବ୍ୟବସ୍ଥାର ‘ଦୁର୍ନୀତିର ସ୍ଥାନୀୟ ପଟ୍ଟ-ପୁରୋଧା (Local high-priests of Corruption.),’ ସୃଜନୀଶକ୍ତି ଯେଉଁମାନଙ୍କର ସଂପୂର୍ଣ୍ଣଭାବରେ ନିଃଶେଷିତ, ‘ପ୍ରେରଣାଦାନ’ର ଭଂଡାମି ତଳେ ପ୍ରତିଟି ଉଦ୍‍ଗତ ପ୍ରତିଭାଂକୁରର ଗଳାଟିପି ହତ୍ୟା କରିବା ଯେଉଁମାନଂକର ଶ୍ରେଣୀଗତ ଧର୍ମ, ମାନବତାର ଆଇନ୍-କାନୁନରେ ‘ଅବାନ୍‍ଛିତ’ ଯେଉଁମାନଙ୍କର ଅସ୍ତିତ୍ଵ-ସେହିମାନେ ।

 

ସହକର୍ମୀ ବାରଶହ ବଢ଼େଇ ଭାଇଙ୍କ ସଂଗଠିତ-ଚାପରେ, କୋଣାର୍କର ନିର୍ମାଣ କାଳରେ ଧର୍ମପଦ ପରି ଅମର ଶିଳ୍ପୀପୁତ୍ର ପ୍ରତି ଯେପରି ଘୋର ଅବିଚାର କରି ବସିଥିଲା ବିଶୁ ମହାରଣା (ରାଶି ରାଶି ମିଥ୍ୟାର ସଂଗଠିତ-ଚାପରେ ‘ସତ୍ୟ’ ପ୍ରତି ଆଜି ସେହିପରି ଚାଲିଛି ଅବିଚାର ଓ ଆକ୍ରମଣ । ଏହି ମିଥ୍ୟା-ନିର୍ଦ୍ଦେଶିତ ଅବିଚାର ଏବଂ ଆକ୍ରମଣ ଆପାତତଃ ଯଦିଓ ଆଜି ଶକ୍ତିଶାଳୀ, ଜନ ଓ ସମାଜଜୀବନକୁ ଯଦିଓ ଆଜି ନିୟଂନ୍ତ୍ରିତ କରୁଛି ଏହାର ଘୃଣ୍ୟ ପାଶବଶକ୍ତି, ଏହି ଶକ୍ତିର ଦାରୁଣ ନିଷ୍ପେଷଣରେ ‘ସତ୍ୟ’ଟା ଯଦିଓ ଆଜି ପୀଡ଼ିତ, କ୍ଷୀଣକଂଠ ମୃତବତ୍; ତଥାପି ଧର୍ମପଦର ମୃତ୍ୟୁ ଯେପରି କୋଣାର୍କର ମୃତ୍ୟୁ ନୁହେଁ ସୃଷ୍ଟି; ବର୍ତ୍ତମାନର ମୃତବତ୍ ପୀଡ଼ିତ ସତ୍ୟ ସେହିପରି ମିଥ୍ୟାର ପାଶବଶକ୍ତିର ନିର୍ଲ୍ଲଜ୍ଜ ଅସ୍ତିତ୍ଵ ପ୍ରତି ନିଶ୍ଚିଂତତା ମଧ୍ୟ ନୁହେଁ ।), ତା’ରି କା-ପୁରୁଷତା, ତା’ରି ବାରଶହ ଶିଳ୍ପୀସାଥୀଂକ ଜଘନ୍ୟ ଶିଳ୍ପଈର୍ଷା ପ୍ରତି ଆଜିର ଦଂଡ଼ାୟମାନ କୋଣାର୍କର ଭଗ୍ନ ମୁଖଶାଳା ମୃତ ଧର୍ମପଦର ସତେଯେପରି ଏକ ଚ୍ୟାଲେଂଜ୍, ପ୍ରତିଭାର ଅଶାଂତ ଆତ୍ମାର ସତେ ଯେପରି ଏକ ପ୍ରେତାୟିତ-ଅଟ୍ଟହାସ (ଆଜିର ପୀଡ଼ିତ ମୁମୂର୍ଷୁ -ସତ୍ୟ ମିଥ୍ୟାର ଘୃଣ୍ୟ ପାଶବ ଶକ୍ତି ପ୍ରତି ସେହିପରି ଏକ ପ୍ରଚଂଡତମ ବିଦ୍ରୂପ, ସର୍ବନାଶର ଏକ ଅନାଗତ ଭ୍ରୂକୁଟି) !

 

କୋଣାର୍କ-ଚାପା-ଗର୍ଭର ଗହ୍ଵର ତଳୁ ଏପରି ଏକ ‘ସତ୍ୟ’ର ଆବିଷ୍କାର (ବୋଧେ ମୋ ବ୍ୟତୀତ !) ଏ ପର୍ଯ୍ୟଂତ କେହି କରିଥିବାର ମୁଁ ଜାଣେନା । ଏହି (ଅପ୍ରିୟ) ସତ୍ୟର ନିର୍ମମ ଆବିଷ୍କାର କାଳରେ କୋଣାର୍କର ତମସାଚ୍ଛନ୍ନ ସ୍ତରରୁ ଧର୍ମପଦର ଯେଉଁ ପ୍ରେତ ହଠାତ ଉଠିଆସି ସବାର୍ ହୋଇଥିଲା ମୋ ସ୍କଂଧରେ, ସେହି ୰ଅଶାଂତ ପ୍ରତିଭାର ଲୋତକାପ୍ଳୁତ ଉଦାତ୍ତ-ଅଟ୍ଟହାସରେ ମୁଖରିତ ଏଇ “ଲାଲ୍ ପୋଗୋଡ଼ାର ପ୍ରେତ ।”

 

ରବୀନ୍ଦ୍ରନାଥ ସିଂହ

***

 

ଏଥିରେ ଅଛି

 

୧.

ଲାଲ୍ ପାଗୋଡ଼ାର ପ୍ରେତ

୨.

ସ୍ଵାଧୀନତା ଧଳାଭାଲୁ

୩.

ମୋ ମୃତ୍ୟୁର ଦଶବର୍ଷ ପରେ

୪.

ତରଳ ଲୁହାର ହ୍ରେଷା

୫.

ନବ ହୁତାଶନ

୬.

ବିଦାୟ

୭.

ନିଅ ତାର ପଦଧୂଳି

୮.

ହେ ସାଧକ

୯.

ହେଲେବି

୧୦.

ଆସିନାହିଁ ଦିନ

୧୧.

ସୂର୍ଯ୍ୟଟାଏ

୧୨.

ସେଦିନର କବିତା

୧୩.

ପରିଚୟ

୧୪.

ଚେତାବନୀ

୧୫.

ହେ ମୋର ହୃଦୟ

***

 

ଲାଲ୍ ପାଗୋଡ଼ାର ପ୍ରେତ

ଏକ

 

ଏ ପାପୀ ଜାତିର

ମୁଁ ଏକା ପୁଣ୍ୟବାନ୍,

ହେଲେ ବି ତ୍ୟକ୍ତ

ମୁଁ ପରିତ୍ୟକ୍ତ

ଏ ମାଟିର ସଂତାନ ।

 

ଯେ ହେତୁ ଦେଖିଛି

ମୁହିଁ ମୋ ଜାତିର

ଭାଲେ ବାରୁଦର ଟିକା,

 

ସେ ହେତୁ ହୃଦୟ

ଟେକିଛି ଆଜିଏ

ରକ୍ତ-ରୁଦ୍ର-ଶିଖା…

ସେ ହେତୁ ଦୁଃଖେ

ଏହି କବିତାର ଲେଖା ।

 

 

 

ମୁଁ ଶୁଣିଛି ସେହି

ବାଳୁତ-ବିଧିର

କ୍ଷୁବ୍‍ଧ-ଅଧୀର ଗାଥା,

 

ମୁଁ ଦେଖିଛି ତାର

କଅଁଳ ବୁକୁରେ

ଜଳିଥିବା କେତେ ଚିତା !

 

ସେ ଚିତା ଜଳୁଛି ଏବେ…

ଯେ ଯିବ ଦେଖିବ

ଚଂଦ୍ରଭାଗାର

ସିଂଧୁ-କିନାରେ ତେବେ ।

 

ଯେଉଁଠାରେ କେବେ

ବାରଶ’ ନିହଣ

ଦିନେ ଉଠିଥିଲା ହସି,

 

ଯେଉଁଠାରେ କେବେ

ବାରଶ’ ବିଧାତା

ଯାପିଥିଲେ କେତେ

ଶ୍ରମ-ଘର୍ମିଳ-ନିଶି………

ଅ-ମଳିନ ହସ ହସି !

 

ଶିଳ୍ପକଳାର

ସବୁ କୌଶଳ

ଯହିଁ ହୋଇଥିଲା ସ୍ତବ୍‍ଧ,

 

ନିଷ୍ଫଳତାରେ

ଯହିଁ ଶୁଭିଥିଲା

ଶିଳା ଖସିବାର ଶବ୍ଦ;

 

ମହାଶୂନ୍ୟର ତୀରୁ…….

ଅଭ୍ରଂଲିହ

ସୂର୍ଯ୍ୟରଥର ଶିରୁ ।

 

ଦୁର୍ଜୟ ତେବେ

ରହିଯିବ ହାୟ

ପ୍ରସ୍ତରେ ଗଢ଼ା

ସୂର୍ଯ୍ୟରଥର ଚୂଡ଼ା,

 

ଭୀମକାୟ ଏକ-

ବିସ୍ମୟ ଆସି

ସବୁରି ମନରେ

ଯେବେ ହୋଇଥିଲା ଛିଡ଼ା;

 

ଶୀତ-ଶୈତ୍ୟରେ

ବରଫ-ବଜ୍ର ସମ,

ଯେବେ ଆସିଥିଲା

ରାଜାର ଆଦେଶ

ମୁଂଡି ନ ମାରି

କୋଣାରକ ଯେବେ

ହୋଇବନି ଶେଷ,

ସରିବନି ଯେବେ କାମ;

 

ବାରଶ’ ବିଧିର

ଶିରଚ୍ଛେଦ କରି

ହସିବ ହସିବ ଯମ ।

 

ମହା-ମରଣର

ସେହି ଭୀତି ତଳେ

ଆଶା-ସଂଚାର କରି,

 

 

 

ହସି ହସି ହସି

ପ୍ରତିଭାର ଶଶୀ

ଯେବେଳେ ଉଠିଲା

ଆକାଶ ବତାଶ ଚିରି…

 

ଟେକିଲା ଊର୍ଦ୍ଧ୍ଵେ

ଐନ୍ଦ୍ରଜାଲିକ ହାତ,

କାଉଁରୀ-ପରଶେ

ମୁଂଡ଼ି ମାରିଲା

ଅଚଳ ସୂର୍ଯ୍ୟରଥ ।

***

 

ଦୁଇ

 

ଯେଦିନ ଦିଶିଲା

ନୀଳନଭ ତଳେ

ନଇ କୋଣାରକ ନେତ ।

 

ବାରଶ ବିଧିର

ହୃଦୟେ ଜଳିଲା

କ୍ରୋଧର ଅନଳ

ଆଖିରେ ମାଡ଼ିଲା

ଇର୍ଷା-ପରଳ

 

ମାନବତା ସେବେ

ହୋଇଲା କକ୍ଷ-ଚ୍ୟୁତ ।

 

ଶିଶୁ ଧରମାର

ଊର୍ଦ୍ଧ୍ୱେ ଉଠିଲା

ବାରଶ’ ଯମର

ଉଦ୍ଧତ-କରବାଳ

 

 

 

ଅନ୍ତିମ ହାହାକାରେ……..

ସୂର୍ଯ୍ୟଟେ ଖସି-

ବିଲୀନ ହୋଇଲା

ମରଣ-ଅଂଧକାରେ…

 

ଆଜି ବସି ଘୋଷେ

ସେହି ସୂର୍ଯ୍ୟର

ଆଲୋକର ଗାଥା

ଘାତକ ଜାତିର

ନିର୍ଲ୍ଲଜ-କରତାଳ !

 

ହାୟରେ ଦସ୍ୟୁ,

ଜୀବଦ୍ଦଶାରେ

ଦାନକଲ ଯାରେ

ମରଣର ସମ୍ମାନ,

 

ତାହାରି ଦତ୍ତ-

ସୃଷ୍ଟିର ଆଜି

କର କିଆଁ

ଜୟଗାନ୍ ?

 

ଅଭିନୟ ତୁମ

ଦେଖିବା ପାଇଁକି

ବେସ୍ କୌତୁକ

ଲାଗେ,

 

ତୁମେ କି ଜାଣିଛ

ସମ୍ମୁଖେ ତୁମ

କେତେ ଦୁର୍ଦ୍ଦିନ

ଜାଗେ ?

 

ତୁମେ କି ଶୁଣିଛ

ସ୍ପଂଦନ କେଭେଁ,

ତୁମେ କି ଦେଖିଛ

ଶିଶୁ-ବିଧାତାର

ବୁକୁ ?

 

ଜୀବନ-ଫୁଲର

ଲୁଂଠନକାରୀ

ଡାକୁ !

 

ତାର ପରିଚୟ

ପାଇଛି ମୁହିଁ ତ

କବି,

 

ଏଇ କୋଣାରକ

ଅପର ପାଖର

ଅଂଧାର ମଖା-

ଛବି ।

 

ସେ ଛବି ଆଣିଛି

ଆଖିର କିନାରେ

ଲାଭା-ଲୋତକର

ଢେଉ,

 

ହୃଦୟେ ଜାଳିଛି

ବାଡ଼ବ-ବହ୍ନି,

କାଳାନଳ

ଦାଉ ଦାଉ !

 

ମନରେ ଆଣିଛି

କୋଟି ସିଂଧୁର ବ୍ୟଥା,

 

ପ୍ରତି ଧମନୀର

ଶୋଣିତେ

ଜାଳିଛି

ପ୍ରତିହିଂସାର

ଚିତା ।

 

ତା ପାଇଁ ଆଜି ମୋ ଶାଣିତ-ଲେଖନୀ ଝୁରେ

କ୍ରନ୍ଦନ-ରୋଳ ମାତେ, ବେଳୁବେଳ

ଜୀବନର ପୁରେ ପୁରେ ।

 

ଅମୀମାଂସିତ ପ୍ରଶ୍ନ ଜାଗଇ ମନେ,

ଭବିଷ୍ୟତର ସାଧନାର ଉପବନେ…

 

ଜାଗିବେ ନାହିଁକି ଲୁଂଠକଦଳ, ପ୍ରତିଭା-ହତ୍ୟାକାରୀ ?

ଆଜିକାର ପରି ସେତେବେଳେ ମୋର

ହାତେ ଥିବ ତରବାରୀ ?

***

 

ତିନି

 

ଯେଉଁ କୋଣାରକ-

ଗର୍ବ, ଦଂଭେ

ନାଚିଛି, ନାଚୁଛି

ଏଇ ଓଡ଼ିଶାର ମାଟି,

ଏଇ ମାଟି ହାତେ

ଦିନେ ପଡ଼ିଥିଲା

ଶିଳ୍ପୀ ଧରମା ଚୁଟି

 

ଯେ ମାଟି ଦେଇନି

ଆଜି ବି ଦେଉନି

ତିପ୍ରଭାର ସମ୍ମାନ,

ଆମ କବିଦଳ-

କଲମେ ଉଠଇ

ସେ ମାଟିର ଜୟଗାନ !

 

‘ଦେଶ-ପୀରତି’ର

ଶସ୍ତା ମଦର ଭାଟି,-

ମଂଡନ କରି

ଚିତ୍କାର ଉଠେ:

‘ଜୟ କଳିଂଗ,

ଜୟ ଜୟ ବାରବାଟି !’

 

ଶିଳ୍ପ-କଳାର

ଶେଷ-କୌଶଳ

କୋଣାରକେ ଆଜି ସାଖୀ,

 

ଗୋଟିଏ ଜୀବନ-

ପାଖୁଡ଼ା ଉପରେ

ବାରଶ’ ମରଣ ଆଖି-

ପଡ଼ିଲା ଯେବେଳେ

ଝଡ଼ିଲା ପାଖୁଡ଼ା

ସେବେଳେ ନ ଥିଲେ କେହି ?

 

ବାରଶ ଘାତକ

ବ୍ୟତିରେକେ ଆଉ

ନ ଥିଲେ ମାନବଦେହୀ ?

 

ଥିଲା କି ବିଶ୍ଵ

ଭଗବାନ-ହୀନ,

ଥିଲେନି କି ରବି-ଶଶୀ ?

 

କେହି ଦେଖିଲେନି

ପ୍ରତିଭାର ଫୁଲ

ଯେବେଳେ ପଡ଼ିଲା ଖସି !?

 

ସେହି କଥା ଆଜି

ଜିଜ୍ଞାସା କରେ

ଭାସମାନ୍ ମୁହିଁ

ଶୋଣିତ-ପ୍ରଶ୍ନ ଭେଳା

 

ବଜ୍ରରେ ଆଣି

ହାହାକାର ପୁଣି

ଫଟାଇ ବାରିଧି ଗଳା ।

 

ମୃତ-ଧରମାର

ପ୍ରତିହିଂସା ମୁଁ

ଫୁଲିଉଠେ ପାରାବାର,

 

ବେଦନା-ଭଂଗେ

ଜଳ-ତରଂଗେ

ପଚାରଇ ବାରବାର ।

 

ଗୋଟିଏ ବାଳୁତ-ବିଧିର ରୁଧିରେ

ବାରଶ’ ବିଧାତା

ଯେବେ ସାରିଗଲେ ସ୍ନାନ,

କାହିଁଥିଲ ସେବେ,

କାହିଁଥିଲ ଭଗବାନ ??

 

ଘୋର ଅନ୍ୟାୟ

ଛେଦନ ପାଇଁକି

ଚନ୍ତ୍ର ତୁମର

ଟିକେ ଉଠିଲାନି ଜାଗି !

 

କେଉଁଠାରେ ଥିଲ

ଶସ୍ତା ପିତାର

ସମ୍ମାନ-ଉପଭୋଗୀ ?

 

ବାରଶ’ ଅହିର

ଗରଳ-ଚୋଟରେ

ସୂର୍ଯ୍ୟ ଗୋଟାଏ

ଯେବେଳେ ପଡ଼ିଲା ଖସି,

 

ସେହି ସେ ଲଗନେ

ଅତୀବ ମଗନେ

ପ୍ରେମ-ଆଳାପରେ ହସି;

 

ଆଦିପିତା, ତୁମେ

ବୋଧେ ଶୁଣୁଥିଲ

ପ୍ରେୟସୀ-ଯୂଥର

କାଚ-ରୁଣୁଝୁଣୁ

ଗୀତ-ଗୁଣୁଗୁଣୁ ବସି !

 

ତୁମେ କି ଧରିବ

ବିଶ୍ଵ-ନାବର ମଂଗ,

କରୁଣାମୟ ହେ,

ତୁମ କରୁଣାର

ଘଟିଅଛି ଜାନୁଭଂଗ !

***

 

ଚା’ରି

 

ନୂଆକଥା ନୁହେଁ

ଅ-କାଳେ ସ୍ରଷ୍ଟା-

ଶୁଆସ ହେବାଟା ରୁଦ୍ଧ,

 

ଭାରତ ଭୂମିର

ପରଂପରା ୟେ

କୁରୁ-ପାଣ୍ତବ ଯୁଦ୍ଧ ।

 

ସେହିରଣେ

ସାତ-ମହାରଥୀ-

ଶିଶୁ ଅଭିମନ୍ୟୁରେ ବଧି,

 

ମହାଭାରତର

ଚଳଚ୍ଚିତ୍ରରେ

‘ହିରୋ’ ବନିଗଲେ ଯଦି;

 

ସେହି ଭାରତର

ଏହି ଓଡ଼ିଶାଟା

ଅଟେ ଅବିନାଶୀ ଅଂଶ,

 

ଏଠି ବଞ୍ଚିବେ

କେଉଁ ଯୁକ୍ତିରେ

ଅଭିମନ୍ୟୁ ଓ ଧର୍ମପଦର ବଂଶ ?

 

‘ମହାଭାରତ’ର

ସାତରଥୀ ସିନା

ମାରିଥିଲେ

ଏକ ଶିଶୁ,

ଏଠି ବାରଶତ-

ପାପୀ ବଧକଲେ

ବାର ବରଷର ଯୀଶୁ ।

 

ତେଣୁ ଏ ମାଟିଟା

ମହା-ମରଣର ଘାଟି,

 

ଯମର ଯାମିନୀ

ତଳେ ଝଡ଼ିଯାଏ

ଜୀବନର ପରି-ପାଟୀ ।

 

 

 

ଏଠି ମରେ ନିତି

ସ୍ରଷ୍ଟାର ଗୌରବ,

‘ନିଂଦାବାଦର ବୃଂଦାବନ’ରେ

ପ୍ରତିଭାର ଶେଷ ରବ,

 

ବାଜେ, ଅହରହ

ଏଠି ଶୁଭେ ଖାଲି

ଆପଣା ଜିଂଦାବାଦ,

ଏଠି ଚାଲେ ନିତି

ଆପଣାର ଶିରଚ୍ଛେଦ ।

 

ତଥାପି ନାଚଇ

ଜାତି କୌରବ

ଜାଣେନି, କପାଳେ

ଅଛି ରୌରବ,

ଅଛି ନିଶ୍ଚିତ ଧ୍ଵଂସ,

 

ମୁଖ-ମେଘେ ନାହିଁ

ଲଜ୍ଜା-ବାଦଲ

ଭାଂଗିଛି ଉରୁ

ଗଡ଼ୁଛି ମାଦଳ

ଉଡ଼ିବ ବସିଛି

ଦୁର୍ଯ୍ୟୋଧନ ୟେ

ଜାତିର ପରାଣ ହଂସ ।

 

ତଥାପି ତ ଆଜି

ତଥାପି ହାୟ ସେ ‘ବୀର’,

ଦେଖି, ଦେଖେନାହିଁ

ମହାକାଳ-ମୁଦ୍‍ଗର !

 

ଏ ପାପୀ ଜାତିକୁ

କେଉଁ ଭଗବାନ

କରିବରେ ନିସ୍ତାର ?

 

ସମ୍ମୁଖ ଭାଗେ

କେତେ ଅଶାନ୍ତ-

ଅଭିଶାପ କରି-

ଅଛି ମୁଖ ବିସ୍ତାର !

 

ସେହି ଅଭିଶାପ

ଏ ଜାତି ଆକାଶେ

ଅମଂଗଳର କେତୁ,

 

ସେ ଆଜି ହାଣୁଛି

ବଜ୍ର-ଆଘାତ,

ଜୀବନେ ଆଣୁଛି

ଘାତ ପ୍ରତିଘାତ

ଭାଂଗୁଛି ସିଏ

ବାଣୀ-ପୂଜକର

ଅନାବିଳ-ପ୍ରାଣସେତୁ ।

 

ରାଜଯକ୍ଷ୍ମାର

ପକ୍ଷ୍ମ ନଚାଇ

ଜଗନ୍ନାଥର

ଭାଲେ,

 

ଘନାଇଁ ଅଦିନ

ବର୍ଷା-ବାଦଲ

ପାଳେ ସିଏ, ପାଳେ

କାଳ-ବୈଶାଖୀ-

କ୍ରଂଦନ-ରୋଳେ

ଝଡ଼-ଉତ୍ସବ ପାଳେ ।

 

ବଜାଇ ଅଦିନ-

ମେଘ-ଡଂବରୁ

ଝରାଇ ରୁଧିର

ଖାଲି ଅଂବରୁ

ଗରଳ ଗାଳୁଛି ରହି……

ଅସନ୍ତୋଷର

କ୍ଷୁବ୍ଧ-ଗରଳବାହୀ

 

ମୃତ-ଧରମାର

ମହା ଅଭିଶାପ ପରି…

କେତେ ଅକଳନ

ପ୍ରତିଭାର ପ୍ରେତ

ଚଉଦିଗେ ବୁଲେ ଘୂରି !

 

***

 

ପାଞ୍ଚ

 

ଏ ପାପୀଜାତିର

ମୁଁ ଏକା ପୁଣ୍ୟବାନ୍,

ଯେ ହେତୁ ଦେଖିଛି

ପୁରେ ପୁରେ ଘୂରେ,

ଯିଏ ଅତି ମହୀୟାନ୍ ।

 

କଳାକୁ ନପାରି

କଳାକାରେ ମାରି

ଯେ ଜାତି ଟାଣିଲା

ସ୍ରଷ୍ଟା ଜୀବନେ

ମରଣ ଚଂଦ୍ରାତପ;

 

ମୁଁ ବି ଚିହ୍ନିଛି ଭଲକରି ତାକୁ

ଯିଏ ସେହି ଡାକୁ

ଯିଏ ଅର୍ଜିଛି

ଅକ୍ଷମଣୀୟ ପାପ ।

 

 

 

ଶିଶୁ-ବିଧାତାର

ପ୍ରେତ ମୁଁ ଦେଖିଛି

କୋଣାରକ ଶିଳା ତଳେ

ରକ୍ତ ତାହାରି

ଦେଖିଛି ମୁଁ ବେନି ଡୋଳେ…

ପ୍ରତିଟି ସକାଳେ

ସୂର୍ଯ୍ୟୋଦୟର ଭାଲେ ।

 

ସେ ଆଜି ହସଇ

ପ୍ରତିଭା-ମଶାଣୀ-କଂଥା ହଟାଇ

ମହା-ଜୀବନର ସାଥୀ,

ଧମନୀରେ ଧରି

ମୃତ୍ୟୁ-ମରଣ-ତାତି ।

 

ବେଦନା-ବିଦ୍ଧ-ଅଂତରେ ଧରି

ପ୍ରତିହିଂସାର ଜ୍ଵାଳା,

ଘୂରେ ସିଏ ଘୂରେ

ସ-କରୁଣ-ସୁରେ

ଆହତ-କାବ୍ୟତାରା ।

 

ସେ ଖାଲି ଖୋଜୁନି

ନିଜର ହତ୍ୟାକାରୀ,

ସ-ସାଗରାଧରା-

ମଂଥି ଅମରା

ସେ ଖାଲି ଖୋଜୁଛି

ଯେତେକ ଅତ୍ୟାଚାରୀ ।

 

ଜଳୁଛିରେ ସିଏ

କାଳାନଳ-ଶିଖା

ଧକ ଧକ ଧକ

ଆପଣାର ଇଂଧନେ,

ଚଳୁଛିରେ ସିଏ

ଯୁଗ-ସଂନ୍ତ୍ରାସୀ

ଏକାକାର କରି

ଯେତେ ଦିବା-ନିଶି

ଅଭିମାନ-ସରା-

ଅସହାୟ-କ୍ରନ୍ଦନେ…….

ଛିନ୍ନ କରୁଛି

ଏ ନର-ସୃଷ୍ଟ-

ନରକର ବଂଧନେ ।

 

ଛ’ଅ

 

ପ୍ରତି ବରଷର

ମାଘସପ୍ତମୀ ଭୋ’ରେ,

ନିରୀହ-ମେଷର

ଶାବକ ସମ ଯେ

ଚାହଁ ମହୋଦଧି କୂଳେ;

ଉଦୟ ରବିର

ରଂଗ ଅବିର

ଦେଖିବାର ପାଇଁ ଡୋଳେ,

ସହଜଲଭ୍ୟ-‘ମହାପୁଣ୍ୟ’ର ଆଶେ…

କୋଟିଯୁଗ ଗଲେ

ଯେ ପାପ ଯିବନି

ଶିଶୁହତ୍ୟାର ସେହି ମହାପାପ ନାଶେ ।

 

ସାଗର ବେଳାରେ

ଜମିଉଠେ ଯେଉଁ

ଜନତାର ମହା ଭିଡ଼,

ଯେ ପକାଇ ଚାଲେ

ନିୟମିତ ଭାବେ

‘ଚଂଦ୍ରଭାଗାର ବୁଡ଼’;

 

ସେ ‘ବୁଡ଼’ କି ଜାଣେ

ସେ ‘ଭିଡ଼’ କି ଜାଣେ

ସାଗର ଗରଭୁଁ

ଉଠେ ଯେ ରକ୍ତଟିକା,

ଫୁଟେ ଯେ ବିଶାଳ

ରକ୍ତ-କମଳ

ବାରିଧିର ନୀରେ

ହଠାତ୍ ଦିଅଇ ଦେଖା ।

 

ଏ ମଣିଷ କିଆଁ

ଜାଣିବ ସେ କଥା,

ବିଗତ ଦିନର

ସେ କରୁଣ ଗାଥା

ଅଂଧାର ତଳେ

କାରବାର ଯାର ଖାଲି,

ସେ କାହୁଁ ଜାଣିବ

ପ୍ରତିଟି ସକାଳେ

ସୂର୍ଯ୍ୟଟା କିଆଁ

ରକ୍ତରୁ ବଳି ନାଲି !

 

ଶୁଣ ହତଭାଗା

ଯେତେ ଜାଗ୍ରତ

ମୃତ୍ୟୁର ଦରୁଆନ୍,

ଆଲୋକ ପିଂଡ

ଯେ ଖାଲି କେବଳ

ଯେଉଁ ସୂର୍ଯ୍ୟଟା

ଅତୀବ ବହ୍ନିମାନ୍,

ତାହାରି ଗାତ୍ରେ

ପଡ଼ିବା ମାତ୍ରେ

ଶିଣୁ ବିଧାତାର

ତପ୍ତ-ଶୋଣିତ ଛିଟା,

ରକ୍ତରୁ ବଳି

ହେଲା ଲାଲେଲାଲ୍

ଉଦୟ ରବିର

ସାରା ଅବୟବ ଗୋଟା ।

 

ସେହିଦିନ କାଳୁ

ପ୍ରତିଟି ସକାଳୁ

ସୂର୍ଯ୍ୟୋଦୟର ଭୋରେ,

ପୂର୍ବାଶା କୋଳେ

ଦୁର୍ବାସା ଏକ

ରୋଷର ବହ୍ନି ଜାଳେ…….

ଫଟାଇ ପାତାଳ

ଧର୍ମପଦର ରକ୍ତେ ମାତାଲ୍-

ସୂର୍ଯ୍ୟ ଉଠଇ ଧୀରେ ।

 

ବିଶ୍ଵ ଯଦିବା ଧ୍ଵଂସ ପାଇବ, ପାଉ

ବିଶ୍ଵକର୍ମା

ମୃତ୍ୟୁ ବରିଲେ

ନୂତନ ବିଶ୍ଵ

ଜନ୍ମ ଲଭିବ କାହୁଁ ?

 

ମୃତ୍ୟୁ–ମୁଠାର

କୁଠାର ଚୋଟରେ

ଯଦିବା ଏଜାତି

ମରିଥାଂତା ବା କେବେ…………

ଦୁଃଖ ନ ଥିଲା ତେବେ ।

 

ବଂଚିବା ଥିଲା

ଉଚିତ ଧରମା

ନବ ଜୀବନର

ବିଶ୍ଵକରମା

ହାୟ, ସେ’ତ ନାହିଁ ଆଜି !

 

ଅଛିତ କେବଳ

ଖାଲି ଦେଢ଼କୋଟି-

ମହାକାଳ ଫଳ

ଭିତର ଧ୍ଵଂସ

କେବଳ ଲୋହିତ

ଉପର ଅଂଶ, ସାଜି ।

 

***

 

ସାତ

 

‘ମାତୃଭୂମିର ନିଂଦୁକ’ ବୋଲି

ଶିରେ ଯେବେ ମୋର

ହସେ କା ଶାଣିତ ଛୁରି;

ବରିନେବା ଆଗୁଁ

ଆଘାତ ତାହାରି

ଭାସମାନ-ମେଘ,

ଆସମାନ୍ ବୁକୁ ଚିରି-

ଦଂଭେ କହିବି :

ହାୟ ନିର୍ଲଜ୍ଜ ଜାତି,

ହାୟ, ବିଷହୀନ-ବିଷଧରକୁଳ,

ତଥାପି ଛାଡ଼ିନ କାତି !

 

ସୁବିଧାବାଦର

ସଜାଗ ପ୍ରହରୀ ଦଳ !

ଚିଂତାର ଅବକାଶ ଆଣ ଟିକେ,

ଭାବିବାକୁ ଆଣ ବେଳ !

 

 

 

ଚଂଦ୍ରଭାଗାର

ନିତି ସକାଳର ତାତି-

ଆହ୍ଵାନେ, ଶୁଣ :

ଅପମୃତ୍ୟୁର

ବଂଧୁ, ପ୍ରେମିକ ଜାତି !

 

ତୁମେ ସିନା ଭାଇ

ନିଭାଇ ପାରିଲ

ଗୋଟିଏ ସ୍ରଷ୍ଟା

ପ୍ରାଣ-ପ୍ରଦୀପର ଶିଖା,

ନିଭାଅ ତ ଦେଖି

ଏଇ କୋଣାରକ-

ପ୍ରସ୍ତରୁ ଆଜି

ସେଇ ସ୍ରଷ୍ଟାର

ଅମର ନିହଣ-ରେଖା !

 

ସିଂଧୁ କିନାରେ

ଯେଉଁ କୋଣାରକ-

ମୁଖଶାଳା ଆଜି ଠିଆ,

 

ତାହାରି ପ୍ରତିଟି

ଶିଳା-ତଂତ୍ରୀର

ହୁତୁହୁତୁ ଜଳେ

ଯେଉଁ କୀର୍ତ୍ତିର ନିଆଁ,

ନିଭାଅ ତ ଦେଖି, ତାରେ !

ମହକାଳ ମୁହିଁ,

ଆହ୍ଵାନେ ବାରେବାରେ ।

 

ଦେଖ ! ଦଂଡ଼ାୟମାନ କୋଣାରକ

କ୍ଷୟମୁଖୀ ମୁଖଶାଳା,

ଏଇ, ତା’ର ଯେତେ

ଭୂ-ପତିତ ସବୁ ଶିଳା,

ଯଦିଓ ଏମାନେ

ମୂକ ଓ ମୌନ

ନାହିଁ ମୁଖେ କିଛି କଥା,

କିଂତୁ ଏମାନେ

ମୃତ-ଧରମାର

ସ୍ତବ୍‍ଧ-ଲୋହିତ-ଚିତା !

ଏ ଶିଳା ଖଂଡ

ମୃତ-ସକାଳର ଲିପି,

ଜାତି ଭାଲପଟେ

ଘନ-କଳଂକ,

ଅଲିଭା-ପାଂଡୁଲିପି ।

 

ଏହାକୁ ନ ପଢ଼ି

ଯିଏ ନିଶ ମୋଡ଼ି

ଦୂରୁ ଦେଖ ମହାନଂଦେ,

ହେ ମୋର ଦେଶର

ମହା ମହା କବି,

ଆହେ କୋଣାରକ-

ଗର୍ବର ଗୋବୀ,

କେତେଦିନ ଆଉ

ନାଚିବ ବଂଧୁ,

କବି-କଳାକରା-

ସ୍ରଷ୍ଟା-ମରଣାନଂଦେ ?

 

ଗୋବୀ=ମରୁଭୂମି ।

 

ମୁଁ ନୁହେଁ ବଂଧୁ,

ତୁମପରି କେବେ

ହଠାତ ସାଧକ, କବି;

ମୁଁ ତୁମ ଜାତିର

ହତ-ପ୍ରଭାତୀର ରବି ।

 

ପୂର୍ବାଶା-କୂଳେ ମୁଁ ଆଜି କରୁଛି

ରକ୍ତର ପ୍ରଣିପାତ,

ମୋର ଚିଂତାର ପୃଷ୍ଠ-ଭୂମିରେ

ବୁଲୁଛି ଭ୍ରମିରେ,

ଚିତ୍ତେ ସବାର୍ ଲାଲ-ପାଗୋଡ଼ାର ପ୍ରେତ ।

 

୨୯ ଅକ୍ଟୋବର, ୧୯୬୧

***

 

ହେ ମୋର କବିତ୍ଵ !

 

ଦିବାବସାନର ଲଘୁ-ଅଂଧାରେ ଆଜି

ହେ ମୋ କବିତ୍ଵ, ଜଳିଉଠ, ଉଠ ଜଳି !

ଅଗ୍ନି ଯୁଗର ନୂଆ ପୁରୋହିତ ସାଜି

ଜାଗ ଦୁର୍ବାର, ମୃତ୍ୟୁ-ଶଇଳ ଠେଲି !

 

ପାଶବିକତାର ନାଶନ ସମର ତବ-

ଯଦି ଭାବୁଥା ସରିନାହି, ନାହିଁ ସରି,

ଯଦି ହୋଇନାହିଁ ଧରଣୀ ଅ-କୌରବ…

ଜୀବନ-ଶାସକ ଯଦି ଆଜି ଦୁରାଚାରୀ,

 

ଭାରତୀପୀଠରୁ ପ୍ରଦୀପ-ଶିଖାର ଫୁଲ-

ଯେବେ ତୋଳୁଥାଏ ବହଳ ଅଂଧକାର

ଅୟୁତ ଶିଖାରେ ତେବେ ଆଜି ତୁମେ ଜଳ,

ଶାଣିତ କରହେ ଚେତନାର ତଲୁଆର !

 

ପୂର୍ବରେ ଯେବେ ସୂର୍ଯ୍ୟ ଉଦୟ ଡେରି-

ଅଛି, ବୋଲି ତୁମେ ଅନୁଭବୁ ଥାଅ ସଖା !

 

 

ତାହେଲେ ଆଜି ଏ ରାତିର ଚିକୁର ଚିରି

ଉଦୟ ସୂର୍ଯ୍ୟ ରୂପେ ଦିଅ ତୁମେ ଦେଖା !

 

୫ ମାର୍ଚ୍ଚ, ୧୯୬୩

***

 

‘ସ୍ଵାଧୀନତା’ ଧଳାଭାଲୁ

 

ଯାଦୁଆ ବିକୁଛି ଯାଦୁର ମଲମ, ଦେଖ !

ମଦୁଆ ଧରିଛି ‘ନିଶା-ନିବାରଣ’ ବାନା,

ଗଣିକା ‘ବେଶ୍ୟାବୃତ୍ତି ନିରୋଧ’-ନେତ୍ରୀ

ଉତ୍କଟ-ଗଣତଂନ୍ତ୍ରେ ଅନାରେ ଅନା !!

 

‘ଜନମଙ୍ଗଳ’ ନାମେ ଲଂଗଳ ଚଷେ-

ଏ ଦେଶ ମାଟିକୁ-ଦୁର୍ଭିକ୍ଷର ଦୂତ,

‘ରାମରାଜ୍ୟ’ର ସଡ଼କେ ରାବଣ ଏଯେ

ଶ୍ରାବଣେ ବାହୁନେ ମୃତ-ଗାଂଧୀର ଭୂତ !

 

‘ସ୍ଵାଧୀନତା’-ହାତୀ ଶେଷେ କରିଦେଲା ‘ଫୁସ୍’

ବିକଟ ଗଂଧେ ନାଶାର ରଂଧ୍ର ଫାଟେ

ଘୁଷଖୋର୍ ତକ ଭୁଷ୍‍କରି ‘ନେତା’ ହାୟ !

ମଦଭାଟି ତଳେ ‘ଯୋଜନା’ର ଫୁଲ ଫୁଟେ ।

 

‘ସ୍ଵାଧୀନତା’ ଆମେ ପାଇଛୁଁ ନୀରବେ ମରି

କରିନାହୁଁ ଜମା ସ-ହିଂସ୍ର-ପ୍ରତିରୋଧ,

 

 

ନିର୍ବୋଧ ଯେତେ ‘ନାଗରିକ’ ଆଜି ଆମେ ………

ଶେଷରେ ହୋଇଛୁ ଶାସକ-ଧୋବାର ଗଧ ।

 

ରାସ୍ତା-ଘାଟରେ ମାଲିସ୍ ଜାଣିଛୁ ଆମେ

ହାତରେ ଆମର ବୁଟ୍ ପାଲିସ୍‍ର ବ୍ରସ୍,

ଆମେ ପଦଲେହୀ, ତୋଷାମେଦୀ ଆମ ପ୍ରାଣ

ଆମେ ଦେଖିପାରୁ ଆମରି ଶିଶୁର ଲାସ୍ ।

 

ଆମେ ବିକିପାରୁ ଇଜ୍ଜତ, ଆମ ଭୋଟ୍‍-

ଲୁଂଠକ ହାତେ ସବୁ ଦେଇପାରୁ ଟେକି,

ଦୁଖ-କଷ୍ଟର ବୁଟ୍-ଗୋଇଠିରେ ଦଳି-

ହୋଇପାରୁ ଆମେ-ରୁଟି ସମ ନିତି ସେକି ।

 

ପ୍ରତିବାଦ ଦୂରେ, ଆମେ ବି ଶିଖିନୁ ଭୋକି

ବୁଲା କୁକୁର ଠୁଁ ଆମେ ବି ଅନୁନ୍ନତ,

ହୋଟେଲ୍ ନଳାରୁ ନର୍ଦ୍ଦମା ତଳ ଯାଏଁ

ଆମେ ଖୋଜିବୁଲୁଁ ନିଇତି ଅଇଁଠା ଭାତ ।

 

ରମଣୀ-ସୁଲଭ-ନାଗରିକ ଆମେ ଦେଶେ

ଶାସକ ଆମର ଥୋଡ଼ାଏ ନପୁଂସକ,

 

 

ମଣିଷପଣିଆ ବେଶଭୂଷା କାହିଁ ଆମ ?

ଆମେ କିଣିଅଛୁଁ କାପୁରୁଷତାର ଭେକ ।

 

ଦେଶରୁ ସତ୍ୟ ମରିଛି ତ ମରୁ, ମରୁ

ନୂତନ ସତ୍ୟ ଜନ୍ମ ଦେବାକୁ ହେବ,

ଯେତେ ଦିନଯାଏଁ ବୁଝିନୁ ଏକଥା ଆମେ

ମୃତ-ସତ୍ୟର ସଂଧାନେ କିବା ଲାଭ ?

 

ସେତେଦିନ ଏଇ ଘୃଣ୍ୟ ପାଶବଶକ୍ତି

ବଂଚିରହିବ ପେଲି ପେଲି ଖାଲି ଗାଲୁ,

ସେତେ ଦିନଯାଏଁ ଧରି ବସିଥିବୁଁ ଆମେ

ଶୁଭ୍ର ଖଦଡ଼େ ସ୍ଵାଧୀନତା ଧଳାଭାଲୁ ।

 

୧୩ ଜୁନ୍, ୧୯୬୩

***

 

ମୋ ମୃତ୍ୟୁର ଦଶବର୍ଷ ପରେ

 

ଏକ

 

ଦଶମ ବାର୍ଷିକ ଶ୍ରାଦ୍ଧ

ମୋ ମୃତ୍ୟୁର ଆଜି,

ଆଜି ମୋର ପ୍ରତିକୃତି-ଉନ୍ମୋଚନ

ଉତ୍ସବର ଦିନ,

ସେଥିପାଇଁ-

ନୃତ୍ୟ ଆଉ ସଂଗୀତର କେତେ ଆୟୋଜନ !

 

ମନେ ଅଛି,-

ଦଶବର୍ଷ ତଳେ ଦିନେ ଥିଲି ମୁହିଁ

ଯାଯାବର-କବି,

ଘୂରୁଥିଲି ବାତାବର୍ତ୍ତ-ଶିଶୁ,

 

ଚୂର୍ଣ୍ଣକରି ମୋ’ ବିରୋଧୀ-ଦୁନିଆର

ଆଇନ୍-କାନୁନ୍,

ଶିରେ ବହି ଇସ୍‍ପାତ ଆମାମା,

 

 

ଥିଲି ଦିନେ

ଜାଗୃତିକ ଚେତନାର ମତ୍ତଝଂଜା,

ଉନ୍ମତ୍ତ-ଦାମାମା ।

 

ଅନାହାରୀ-କବି

ଜୀବନର ବସଂତ ଲଗନେ

ଥିଲି ଏକ ଅଗ୍ନି ଗର୍ଭ-ପ୍ରତିବାଦ

ତୋଳୁଥିଲି କାବ୍ୟର ଭୈରବୀ ।

ଅନାଗତ ଯୁଗର ଇଂଗିତ,

ବୁଭୁକ୍ଷାର ବେଦୀ ତଳେ

ଥିଲି ଏକ ସାଗ୍ନିକ-ସାଧନା………

ଆ-ରକ୍ତିମ ନିଶାର ସଂଗୀତ ।

 

ଆମାମା=ଶିରସ୍ତ୍ରାଣ ।

ଦାମାମା=ଦୁଂଦୁଭି ।

***

 

ଦୁଇ

 

ଏ ରାସ୍ତା ଦେଖିଛି ମତେ,

ଏ ସହର, ଏ ଧରିତ୍ରୀ ଶୁଣିଛି ମୋ

ଲୌହ-ପଦଧ୍ଵନି,

ଏ ନଭ-ନୀଳିମା ପୁଣି ଦେଖିଛି ମୋ

ମୁଖର କାଳିମା,

ଏ ବାୟୁମଂଡଳ-ଗ୍ରଂଥେ ଲେଖାଅଛି

ମୋର ଦୀର୍ଘଶ୍ଵାସ……..

ଜୀବନର ଅବଲୁପ୍ତ ରକ୍ତାକ୍ତ-ପ୍ରୟାସ ।

 

ଏ ପଥରେ

ପ୍ରତିଦିନ ଦେଖିଛଂତି ମତେ

ଦୁନିଆର ବଡ଼ ପଂଡ଼ା,

ସମାଜର ‘ସମାଜିକ ପ୍ରାଣୀ’,

ଶୁଣିଛଂତି-

ମୋ ଜୀବନ-ବଲ୍ଲକୀର କରୁଣ ରାଗିଣୀ

ଫେରୁଥିବା ବେଳେ-

ଭଗ୍ନ ମନ, ଅବସନ୍ନ-ଦେହଧରି

ଆପଣାର ପ୍ରବାସ-କୁଟୀରେ

ବର୍ଷାରାତେ, ରିକ୍ତହାତେ

ଶୀତେ ଥୁରୁ ଥୁରୁ,

ସମସ୍ତେ ତ ଦେଖିଛଂତି ମୋତେ

ଆପଣାର ସମ୍ମୁଖ ଭାଗରୁ ।

***

 

ତିନି

 

ଶୁଣିଥିଲି ବହୁଦିନ ଆଗେ-

ପୁରାଣର ମ୍ଳାନପତ୍ରେ ପଢ଼ିଥିଲି

ଜୀବଦ୍ଦଶା କାଳେ-

ସାଗର ମେଖଳା ଏଇ ଧରାପୃଷ୍ଠେ

ବହୁକାଳ, ବହୁଯୁଗ ଧରି,

ମାତିଥିଲେ ମୃତ୍ୟୁଦୂତ, ଜୀବନ-ବଇରି ।

କରିଥିଲେ ବେଲୁନୀ ଆବାଜ୍,

ମାନବ ବିହେଷୀ ଯେତେ

ଦାନବର ଦଳ,

ଜୀବନର ଉପବନେ

କେବେ କାହିଁ ଜନ୍ମିଥିଲେ

ମାଂସଲୋଭୀ କ୍ଷୁଧାର୍ତ୍ତ ଶାର୍ଦୂଳ !

 

ଫୁଙ୍କିଥିଲେ ଭଗିନୀର ରୂପଶିଖା

ସୂର୍ଯ୍ୟାଲୋକେ କରିଥିଲେ

ବଧୂ ବିବସନା,

ବଂଦିନୀ-ଜନନୀ କୋଳୁଁ

କନ୍ୟା-ପୁଷ୍ପେ ବୃଂତଚ୍ୟୁତ

ବସବାସୀ-ଜାୟାରେ ହରଣ-

କରି-ହୋଇଥିଲା ପରା ଭୁଲୁଂଠିତ

ଦାନବର ସ୍ଵର୍ଣ୍ଣରାଜ୍ୟ ପୁଣି ସିଂହାସନ !

 

***

 

ଚାରି

 

ସେ’ତ ସିନା ପୁରାଣର କଥା

ମୋର ଗତ-ଜୀବିତାବସ୍ଥାରେ,

ମୋ ଗତି ପଥର ପାର୍ଶ୍ଵେ

ମୁଁ ଦେଖିଛି ସେ ସବୁର

ପୁନରାଭିନୟ……………..

ବାସ୍ତବ ଛବି ତା ।

 

ଦେଖିଛି ମୁଁ ଆପଣାର ଜୀବନ-ସଂଗ୍ରାମେ

ସାମାଜିକ ବ୍ୟବସ୍ଥାର ମଦ୍ୟପ ଚେହେରା

ଶୁଣିଛି ମୁଁ-

ସୁରାପାତ୍ର ଠୁଣ୍‍ଠାଣ୍ ଆଘାତର

ମଧୁର ଝଂକାର,

ପାଶବିକ ପ୍ରବୃତ୍ତିର ଚରିତାର୍ଥ,

ଅପହୃତା ରମଣୀର ଗଂଡ ଦେଶେ

ବଳାତ୍କାର ଚୁମ୍ଵନର ଧ୍ଵନି-

ଦେଖିଛି, ଶୁଣିଛି-

ବ୍ୟଭିଚାରୀ ଦୁଃଶାସନ ସିଂହଦ୍ଵାରେ

 

 

ପାଂଚାଳୀର ଭୀମ କରାଘାତ…

ଅଭିଶାପ ବର୍ଷଣର ରୁଦ୍ର-ଭାଓଲିନ୍ ।

 

ଅତୀତର ସମସ୍ତ କାହାଣୀ

ନଗ୍ନତା, ପଶୁତା ଯେତେ, ଦାନବୀୟ-କୃତିତ୍ଵର ଦଂଡ-

ଇତିହାସ ନିର୍ଦେଶରେ

ମହାକାଳ ଯେଉଁପରି ବିଧାନ କରିଛି,

ଆଜି ଆଉ ସେ’କି ମନେ ଅଛି !

ଅତୀତର ମହାଶିକ୍ଷା,

ସେ ଶିକ୍ଷାର ବିଶ୍ଵସ୍ତ-ଛାତ୍ରତ୍ଵ-

ମାରିନେବା ପାଇଁ

ଅଛି କିରେ ସତ୍‍ସାହସ, ଦଂଭ-

ଆଜିକାର ସାମାଜିକ ବ୍ୟବସ୍ଥାର ମନେ…

ବର୍ତ୍ତମାନ ଶାସକର ମାନସିକ-ପିଆଲାର କୋଣେ ?

ନାହି ନାହିଁ ନାହିଁ

ଅଣୁମାତ୍ର ସେ ସାହସ । ଆସିବ ବି ନାହିଁ,

କଂସକାରାଗର୍ତ୍ତତଳେ ଆଜି ମଧ୍ୟ ଜନ୍ମିଲେ ବି

ଅଜସ୍ର କହ୍ନାଇ !

***

 

ପାଂଚ

 

ମୋ ମୃତ୍ୟୁର

ଦଶମ ବାର୍ଷିକ ଶ୍ରାଦ୍ଧେ,

ମୋ କୃତିର ବିଶ୍ଳେଷଣ କାଳେ

ପୁଂଜିଭୂତ କ୍ଷୋଭେ, ଦୁଃଖେ

ଆତ୍ମା ମୋର

ଆର୍ତ୍ତନାଦ କରେ ।

 

ହୃଦାକାଶ ହୁଏ ମୋର ବିଦ୍ୟୁତ୍‍ବିଦୀର୍ଣ୍ଣ

ଜାଗେ ପ୍ରଶ୍ନ-

“ପ୍ରତିଭାର ପୂଜା” ନାମେ ଏକି ପ୍ରହସନ ?

ଏକି ସେହି କାବ୍ୟହତ୍ୟା-

ପାପର ପ୍ରାଶ୍ଚିତ୍ତ,

ପ୍ରତିକୃତି-ଉନ୍ମୋଚନେ,

ମୋ କବିତା ପୁନରାବୃତ୍ତିରେ ?

ଏକି ସେହି କଳୁଷିତ-ସମାଜର ହାତ,

ଯେ ଦେଉଛି ପୁଷ୍ପମାଲ୍ୟ

ଆଜି ମୋର ମର୍ମର ମୂର୍ତ୍ତିରେ ?

***

 

ଛ’ଅ

 

ଦଶବର୍ଷ ପୂର୍ବେ-

ମୁଁ ଯେବେ ଜୀବିତ ଥିଲି ମୃତ୍ୟୁର ନିଂଦୁକ,

ଜୀବନର ଦୃଢ଼ ପ୍ରତିନିଧି,

ମୁଁ ଯେଦିନ ଟେକୁଥିଲି ଭାରତୀର ପବିତ୍ର ପୀଠରେ-

ଲହୁ ଆଉ ଲୁହର ଆରତି,

ସାଧନାର ଅକ୍ଷୟ-ଓଁ କାର,

ସେଦିନ ମୁଁ ଶୁଣିଥିଲି

ନିଂଦୁକର ମିଳିତ-ହୁଂକାର ।

ମୋ ମୃତ୍ୟୁର ଦଶବର୍ଷ ପରେ-

ଚାଲେ ଯେବେ ମୋ ପ୍ରତିଭା ଗୁଣ ସଂକୀର୍ତ୍ତନ,

ନିର୍ନିମେଷେ ଦେଖେଁ ମୁହିଁ

ନିର୍ବାଣ ମାର୍ଗରୁ-

ଶସ୍ତା ନାମାର୍ଜନ ପାଇଁ

ଚାଲେ ମୋର ଶ୍ରାଦ୍ଧର ପାର୍ବଣ ।

 

ମାଟିର ଶରୀର ଏଇ ଛିନ୍ନକଂଥା

ଛାଡ଼ିଯିବା ଆଗୁଁ

ସହିଥିଲି ଯେଉଁ ତୀବ୍ର ବିଦ୍ରୂପ-ଚାବୁକ୍ ।

ଦେଖିଥିଲି ଯେ ରୂପାଜୀବାରେ…

ତାହାରି ସେ ଚରଣ-ନିକ୍ଵଣ-

ନିର୍ବିକାରେ ବାଜିବାଜି ଆଜି

ପାଳେ ମୋର ଶ୍ରାଦ୍ଧୋତ୍ସବ,

କରେ ମୋର ମୂର୍ତ୍ତି ଉନ୍ମୋଚନ !

***

 

ସାତ

 

ଓଃ ! କାହିଁକି ମୁଁ ମରିଗଲି

ଏପରି ‘ମରିବା’ଠାରୁ ବଞ୍ଚିବାଟା ଥିଲା ଶ୍ରେୟସ୍କର ।

ମୁଁ ଯେବେ ଜୀବିତ ଥାଂତି

ଏ ବେଳରେ,

ଅବା ମୋର ଏଇ ଯେଉଁ ବସ୍ତ୍ରତଂକା

ମର୍ମର ମୂର୍ତ୍ତିଟା,

ଉନ୍ମୋଚିତ ହେବା ଆଗୁଁ

ଅକସ୍ମାତ୍ ପାଂ’ତା ଯେବେ ଏଠି ଜୀବନ୍ୟାସ,

ହା ହା ହସି କହଂତି ମୁଁ-

ଚମତ୍କାର ଅଭିନୟ ! ଏ ନିର୍ଘାତ୍ ନିତଂବ-ନର୍ତ୍ତନ,

ବାଃ ! ବାଃ !! ବାଃ !!!

ମରିଯାଇ ଭୁଲ୍ ମୁଁ କରିଛି …………….

ସେଥିପାଇଁ ଦୁଃଖ ଆସେ, ଆଃ !!

 

ରାଖୀପୂର୍ଣ୍ଣିମା

୧୯୬୨

 

[ଆକାଶବାଣୀ, କଟକ କେଂନ୍ଦ୍ରଙ୍କ ସୌଜନ୍ୟରୁ]

 

ତରଳ ଲୁହାର ହ୍ରେଷା

 

ଦୁଇ ପାଖେ ମୋର ଗଦ୍ୟର ବାଲୁଚର,

ତାହାରି ଭିତରେ ପ୍ରବାହିତ ମୁହିଁ

ଗତି ମୋର ଖରତର ।

 

ଗରମ-ଝରଣା, ଲାଭାର କାବ୍ୟଧାରା,

ଅଗ୍ନିଗିରିର ସଂତାନ ମୁହିଁ

ହୃଦୟେ ମୋହର ତପ୍ତ ଆବେଗ ଭରା ।

 

ଘାରେ ବେଳୁବେଳ ଅଗ୍ରଗତିର ନିଶା,

ଏ ମୋର ଜୀବନ

ଅତି ଚଳମାନ୍

ତରଳ-ଲୁହାର ହ୍ରେଷା ।

 

ହେଉନି, ହେଉନି ଗତି ମଂଥର

ନିକଟ-ଅତୀତେ ମୋର,

ଚରଣରେ ଆସି ମଥା ପିଟିଲେ ବି

ମରଣର ପାରାବାର ।

 

 

 

ଏଇ ପ୍ରଚଳିତ ବିଶ୍ଵରୀତିର

ମୁହିଁ ତ ବିରୋଧୀ,

ମୁହିଁ ବିକ୍ଷୋଭକାରୀ;

ପବିତ୍ରତାର ମୁହିଁରେ ଧମନୀ,

ଶୋଣିତ-କାବ୍ୟ, କ୍ଷୁରଧାର-ତରବାରୀ ।

 

ସବୁ ଅ-ନୀତିର ଦିବା-ଅବସାନ,

ଏଇ ସୃଷ୍ଟିର ସଂଧ୍ୟା

ମୁଁ ଆଜି ଫୁଟିଲି ଧ୍ଵଂସ-କୁସୁମ

ନାମ ମୋ ‘ବାରୁଦଗଂଧା’ ।

 

ତୀକ୍ଷ୍ଣ-ବିବେକ,

ପ୍ରବଳ ଅନଳ-ଦୋଳା

ମୃତ୍ୟୁର ସମ ଧରି ମୁଁ ଝୁଲିବି

ସୃଷ୍ଟିପିତାର ଗଳା ।

 

ଧରଣୀର ଏଇ ସରଣୀ ଉପରେ

ଚୂର୍ଣ୍ଣ-ଶନିର ଧୂଳି-

ସନ୍ୟାସୀ ସମ ଅଂଗେ ବୋଳି ମୁଁ

ଯିବି ପଦତଳେ ଦଳି ।

 

ଭିକ୍ଷାର ଝୁଲି ଝୁଲାଇବା ପାଇଁ

ବୃଦ୍ଧ-ବିଧିର ହାତେ,

ଅମଂଗଳର ପୁଚ୍ଛ ମେଲାଇ

ମୁଁ ଆଜି ଆସିଲି ଏଇ ସୃଷ୍ଟିର ପଥେ ।

 

ଛାତିରେ ସାଇତି ଅ-ଶିବ ତରଳା ତାତି…………

ବଜ୍ର ଶିଖାର ମଶାଲେ ଆସିଲି

ମୁଁ ଆଜି ହସିଲି

ଅଗ୍ରଗତିର ଅମାନିଆଁ ଭାଗିରଥୀ ।

 

୨୭ ମାର୍ଚ୍ଚ, ୧୯୬୩

***

 

ନବ ହୁତାଶନ

ପ୍ରଥମ ଜ୍ଵଳନ

 

(କ)

 

ନୂତନ-ସୂର୍ଯ୍ୟ ଉଦୟ ଆଣିଛି ମନରେ ତୁମର ବିଷମ-ପ୍ରତିକ୍ରିୟା

ଆଦିମ-ନୀତିର ସ୍ଥାନୀୟ-ପଟ୍ଟପୁରୋଧା ବିଚରା, ଆହା !

ପୁରାତନତାର ତୁମେତ ପୂଜାରୀ, ଜାଣେ ମୁହିଁ ଜାଣେ ଜାଣେ,

ସେଥିପାଇଁ ତୁମେ ଅତୀବ ଆହତ ଆଜି ନୂତନର ବାଣେ ।

ତୁମେ କରିଅଛ ମଂଡନ ଆଜି ସାରସ୍ଵତର ବେଦୀ,

ତମେ ତ ଲେଖୁଛ ‘ସମାଲୋଚନା’ର ବାରମଜା-ଚଉପଦୀ ।

‘ସମାଲୋଚନା’ର ଅର୍ଥ କେବଳ ତୁମେତ ବୁଝିଛ ‘ନିଂଦା’

ନିର୍ବାଣ-ଦୀପେ ତଇଳ ଢାଳିବା ବଂଧୁ, ତୁମରି ଧଂଦା !

ମନ୍ମଥପୂଜା ‘ସାରସ୍ଵତର ସାଧନା’ ତୁମରି ପାଖେ

‘ସୃଷ୍ଟି’ ନାମରେ ବସି ଡାକ ଦିଅ ବିକୃତି-ତରୁଶାଖେ ।

କେଉଁ ନିର୍ବୋଧ ସେ ଡାକ ଶୁଣିବ, ନିଷ୍ଫଳ-ଆହ୍ଵାନ ?

ପ୍ରତିଟି କଂଠେ ଭରିଛି ଯେବେଳେ ଶେଷ-ସମରର ଗାନ

 

 

 

(ଖ)

 

“ସୃଷ୍ଟି ଅଭାବ ସାରସ୍ଵତର ସୃଷ୍ଟିରେ ଆଜି ହେଉଅଛି ଅନୁଭୂତ

ଗଠନମୂଳକ-ଚିଂତା ଦିଶେନି, ସୃଜନର ସଂକେତ ।”

ତୁମେ କହୁଅଛ : “କରୁନାହିଁ କେହି ଭାରତୀର ଆରାଧନା,

ଚାରିଆଡ଼େ ଖାଲି ବିପ୍ଳବ-ଶିଖା, ବାଜେ ହିଂସାର ବୀଣା !”

ହା ହତଭାଗ୍ୟ, ଅତୀବ କରୁଣ ତୁମ ଅବସ୍ଥା ଭାଇ !

ବଂଶ ବୁଡ଼ିଛି ହଂସ-କୁଳର

ଜୀବନର ଗୀତ ହରାଇଛି ସୁର

ବାଗଦେବୀ ବାକ୍‍ଶକ୍ତିରହିତ ଯହିଁ………….

ସେଠି ‘ସାଧନାର ପ୍ରଦୀପ’ ଜଳିବ କେଉଁ ଇଂଧନ ପାଇ ?

***

 

ଦ୍ଵିତୀୟ ଜ୍ଵଳନ

 

(କ)

 

ହର-କୋପାନଳେ ମାର ଅଛି ମରି ଅନେକ ଦିନରୁ ବଂଧୁ !

ରତିର କଂଠ କ୍ରନ୍ଦନାକୁଳ,

ହତବାକ୍ ତାର କାମନାର ମହାସିଂଧୁ ।

 

ଶିବ-ସାଧନାର ସାଗ୍ନିକ ଶିଖା

ଅଂତରେ ଯାର ଆଣେ ଆତଂକ, ଆଣେ,

‘ଦେବ-ମର୍ଯ୍ୟାଦା ଯିବକିରେ ଚାଲି’ ଭୀତି ଜାଗେ ଯାର ମନେ,

 

ନିଭାଇବା ପାଇଁ ଶିବ-ସାଧନାର ନିଆଁ-

ଯେ ନିଜେ ନପାରି ଶଂକର ଆଗେ ମନ୍ମଥେ କରେ ଠିଆ,

ସୁଂଦରୀ ରତି ସୁଂଥାରେ ଟାଣି ବଇଧବ୍ୟର ଗାର,

ନିରପରାଧାର ଜୀବନେ ଯେ ଦେଲା ନିଷ୍କାମ-ହାହାକାର,

ତୁମେ ତାକୁ କୁହ ‘ଦେବତା’, ମୁଁ କୁହେ ଭୀରୁ, କା-ପୁରୁଷ ଦଳ

ଯା ପାଇଁ ଭସ୍ମେ ପରିଣତ ହେଲା କାମନାର ଶତଦଳ ।

 

 

(ଖ)

 

ଆଜି ଏତେବେଳେ

ଅବସର କାହିଁ

ରଚିବ କିଏ ସେ ମାଂସ-ମୋହର ଗୀତା ?

‘ସାରସ୍ଵତର ସାଧନା’ ନାମରେ

କିଏ ନିର୍ବୋଧ ଜାଳିବ ଏବେଳେ

ପାଶବିକତାର ଚିତା ?

କାବ୍ୟ-କୁଂଜଲତାରେ ଫଳାଇ ନାରୀର ଅଧର, ସ୍ତନ

କେ କବି କରିବ ବ୍ୟର୍ଥ ଚେଷ୍ଟା

ବିନାଶିବା ପାଇଁ ଆଗାମୀ ଯୁଗର ଭ୍ରୂଣ ?

ଯେ କରିବ ସିଏ ଭଂଡ,

ମାନବିକତାର ଅଦାଲତେ ଥୁଆ ତା ପାଇଁକି ପ୍ରାଣଦଂଡ ।

 

(ଗ)

 

‘ଗଢ଼ିବା’ ସ୍ଵପ୍ନ ଚୁଲୀକୁ ଗଲାଣି, ଭାଂଗିବା ନିଶା ଘାରେ

ବଂଧୁ ହେ, ତୁମ ଅନୀତିପୂର୍ଣ୍ଣ ଆଦିମ-ଅଂଧକାରେ !

ଗଗନେ ବିଚରେ ରାହୁ,

ଲୁଟିବା ପାଇଁକି ସ୍ଵେଚ୍ଛାଚାରୀ ଏ ‘ସାମାଜିକତା’ର ଆୟୁ ।

ସେଥିପାଇଁ ଆଜି ଭୂଲୋକ-ବଜ୍ର ଗରଜେ ଆକାଶେ ଡାକି

ସୌରସିଡ଼ୀରେ ସନ୍ତ୍ରାସ ନିଆଁ ହସେ ତାର ଶିଖାଟେକି ।

ଅସୀମ ଅଶାର ଆକୁତି ଆହତ

ଜୀବନ ତ ଆଜି ଭୁଲିଅଛି ‘କାମ’ ରାହା,

ଲୋହିତ ହେଲାଣି ଶ୍ଵେତ-ଶତଦଳ

ରକ୍ତନଦୀରେ ମଂଗ ମାନୁନି ନାଆ ।

ବେଦନାର ଶିଶୁ ଜନ୍ମିଛି ହୃଦେ, ଦୁଃଶାସନର ବ୍ରଣ

‘ସୃଜନସ୍ଵପ୍ନ’ ଆସିବ କେଉଁଠୁ ଏବେଳେ ବଂଧୁଗଣ ?

କେଉଁଠୁ ଆସିବ ଜାଫ୍ରାନୀ ତନୁଶୋଭା ?

ମଳିନ ହେଲାଣି ବଧୂର ଅଧର-ଜବା ।

***

 

ତୃତୀୟ ଜ୍ଵଳନ

(କ)

 

ପରାଜୟ-ଟିକା ପିଂଧିନି ଯହିଁ ଦୁର୍ମତି-କୁରୁସେନା,

ଶାଂତି ଶିଖାରେ ଜଳିନାହିଁ ଦୀପ, ଭରିପୁର ହସ୍ତୀନା,

ବାଂଧିନି ଜୁଡ଼ା ଦୁଃଶାସନର ରୁଧିରେ ଯାଜ୍ଞସେନୀ

ଜୀବନର ଯହିଁ ‘କର୍ତ୍ତା’ ବୋଲାଏ ଗୁଂଡାର ତର୍ଜନୀ,

ରାବଣ ନେଇଛି ପୁନର୍ଜନ୍ମ ଯେଉଁଠି ‘ରାମ’ର ବେଶେ

ନୀଳାକାଶ ତଳେ

ପାଶବିକ-ରୋଳେ

ନାରୀ ହରଣର ବିମାନ ଯେଉଁଠି ଭାସେ,

ସେଠିକି କାବ୍ୟ ରଚନା ହୋଇବ

ଅଂକରେ ରଖି ଷୋଡ଼ଶୀ ସୁତଳ-ଶ୍ରୋଣୀ !

ସେହି ସେ ମୁଲକ ମନସିଜ-ମରୁଭୂମି ।

ସେଠି ଫୁଟିବନି କବିତାର ଫୁଲ

ନବ-ବସତେ

ଦ୍ରାକ୍ଷାଲତାର ବନେ,

ସେଠି କବିତାର ଶୈଶବ ଗଢ଼ା

ମାନବିକତାର ମୂଲ୍ୟବୋଧର

ଅଭାବ ଓ ଅନାଟନେ,

ଉପଲବ୍ଧିର ଘନ-ଦାରିଦ୍ର୍ୟେ, ମାନସିକ-ଦଂଶନେ ।

***

 

ଚତୁର୍ଥ ଜ୍ଵଳନ

 

(କ)

 

ନର-ସଭ୍ୟତା ପୁରୋଭାଗେ ଆଜି

ପଶୁର ଆଦିମ ସୃଷ୍ଟି ମେଳିଛି ପୁଚ୍ଛ,

ସେହି ସୃଷ୍ଟିର ଯେତେ ପ୍ରତିନିଧି, ତୁଚ୍ଛ !

 

କାମ-ଆଶାବାଦ-ହିମ୍ମତ୍ ତୁମ

‘ଅଗ୍ରଗତି’କୁ କୋଟିଏ ଯୁଗର ପଛକୁ ତ ନବ ଟାଣି,

ତୁମେ ଝୁଲାଇବ ବସିଛ ବଂଧୁ,

ଯଉବନ ବୁକେ ‘ପୀରତି’ ନାମରେ

ମରଣ-ବଧୂର ବେଣୀ !!

 

ଯଉବନ ଆଜି କିଂତୁ ସଚେତ୍; ହାୟ ତୁମେ ଗାଡ଼ିଫେଲ୍ !

ଏଇ, ଦେଖ ଦେଖ

ରାତି ଛାତିଚିରି

ଧୂମ ଉଦ୍‍ଗାରି

ଜଂକ୍‍ସନ୍ ଛାଡ଼େ

ଗଣ ଚେତନାର ମେଲ୍ !

 

ତାହାରି ଚକର ପ୍ରତି ଘୂର୍ଣ୍ଣନେ

ଫୁଟିଉଠେ ନୂଆ ଆଗାମୀ ଉଷାର ଜବା,

ତାର ମହତ୍ଵ ତୁମେ ବା ବୁଝିବ କିବା !

 

‘ଆଗାମୀ’ର ସେହି ଶୁଭ ଆଗମନେ ସୁପ୍ତ-କଂଠୀରବ

ସ୍କଂଧେ ତାହାର ଆଜିର ବୃଦ୍ଧା କାମୁକୀ ଭାରତୀ ଶବ ।

 

ଜ୍ଵଳମାନ୍ ତାର ଲୋଚନ-ଗୁହାରେ

ନବ-ହୁତାଶନ-ପ୍ରଦୀପ ଜଳୁଛି, ଏଇ !

ଅଂତରୁ ନୂଆ ମଂନ୍ତ୍ର ଉଠୁଛି ଅନୁଢ଼ା-ଭାରତୀ ପାଇଁ ।

ବଜ୍ର-ଶିଖାରେ ଦୀକ୍ଷା ଘେନୁଛି କବିର କଲମ ଗାର,

ଭାଂଗୁଛି ଦୂରେ

ଭାଂଗୁଛି ଧୀରେ

ଭଂଡର ଦରବାର ।

 

(ଖ)

 

ଆଦିମ-ନୀତିର

‘ସାମାଜିକତା’ର

ପଟ୍ଟପୁରୋଧା,

ରଖିଦିଅ ତୁମ ପୋଥି-ପୁରାଣର ନଥି,

ସରିବନି, ସାରିବାକୁ ହେବ ଏଇ ରାତି ।

 

କେଉଁ କହ୍ନାଇ ଜନ୍ମିବ କେବେ କଂସର କାରାଗର୍ତ୍ତେ !

ସ୍ଵର୍ଗୁ ଝରିବ କେଉଁକାଳେ ସୁଧା, ଏ ମାନବ ଭୂମି ମର୍ତ୍ତ୍ୟେ !

ଭଗବାନ କେବେ ନେବେ ଅବତାର ଦାନବ ଦଳନ ପାଇଁ

ଗଛରେ ପଣସ, ଓଠେ ତେଲମାରି ବସିବାକୁ ବେଳ ନାହିଁ ।

 

ଚିରଦିନ ପାଇଁ ମୃତ ଭଗବାନ ଜନ୍ମ ନେବେନି ଆଉ,

ସ୍ଵର୍ଗୁ ଝରିବ ନାହିଁ ସୁଧା, ପାନ କରିସାରି ଅଛି ରାହୁ ।

ପ୍ରତିଟି ମଣିଷ କଂସ-କାରାରେ ଜନ୍ମ ହୋଇବ ଆଜି

ମଂଚାରୁ ଠେଲି ମାରିବ ମାତୁଳ, ନବ କହ୍ନାଇ ସାଜି ।

 

ତେଣୁ, ଆଜିଠାରୁ ନିର୍ମାଣ ଚାଲେ

ଜୀବନବାଦର ଲୋହିତ ବୃଂଦାବନ,

ତୁମ ପଶୁତାର ଗୋଷ୍ଠ-ପ୍ରାଂତୁ

ଏଇ ଶୁଭିଲାଣି

ଆଗାମୀର ସେହି ମୋହନ ବଂଶୀ ସ୍ଵନ ।

***

 

ଅନ୍ତିମ ଜ୍ଵଳନ

 

(କ)

 

ଆଜି ଏତେଦିନେ

ଏଇ ଏ ଆଦିମ-ସମାଜ-ଧ୍ଵଂସୀ-

ବାତ୍ୟା ଉଠିଛି ହସି,

ସମୟ-ସାଗରେ ଆଲୋଡ଼ନ ଆଣି

ଗଗନେ ଉଠିଛି ନବ-ପୂର୍ଣ୍ଣିମା ଶଶୀ ।

 

ଅଂଧକାରର ଉତ୍ତାଳ-ନୀରେ

ନୂଆ-ଦୁନିଆର ନୂତନ ଆଶାରେ

ନିର୍ମାଣ ଚାଲେ ଆଜି ବହ୍ନିର ସେତୁ…….

ଜନ୍ମିଛି ଆଜି ବିପ୍ଳବୀ ଧୂମକେତୁ ।

ଆପଣା କରାଳ-ପୁଚ୍ଛେ ଲୁଚାଇ ଦୁନିଆର ମଂଗଳ,

ଜାରଜ-ସୃଷ୍ଟି ପଥରେ ଆସିଛି ଅ-ଶିବ, ଅମଂଗଳ ।

 

(ଖ)

ଗର୍ତ୍ତ ବିବର ସବୁତ ରୁଦ୍ଧ,

କାହିଁଯିବ ତୁମେ ବୃଦ୍ଧ ଗରଳବାହୀ

ପଳାୟନ ପଥେ ଶତ୍ରୁ ମାରୁଛି ହାଇ ।

ଅତୀତର ସବୁ ପଦମର୍ଯ୍ୟାଦା

ଖସି ଅଛି ତୁମ ସ୍କଂଧୁ,

ଆଦିମ ନୀତିର

ପାଶବିକତାର

ପଟ୍ଟପୁରୋଧା ବଂଧୁ !

 

ପୁରାତନତାର ଛିନ୍ନ-କେତନ ଅବନତ କର

ନୂତନର ପଦେ ଅଜ୍ଞ !

ଜନ୍ମେଜୟର ରକ୍ତ-ଶପଥ, ନବ-ହୁତାଶନ, ଯଜ୍ଞ-

ଅନଳ ଡାକଇ-ଡାକେ ଅବଶ୍ୟଂଭାବୀ…

ନବ ବିପ୍ଳବ, ଡାକେ ଅନାଗତ ରବି ।

 

୫ ଅଗଷ୍ଟ, ୧୯୬୨

***

 

ବିଦାୟ

 

କାହିଁରେ କବିତା ?

ସବୁ ତ ଗଦ୍ୟ !

କାହିଁ ମାନସିକ,

ଦୈହିକ-ଖାଦ୍ୟ ?

କେଉଁ ସୃଷ୍ଟିରେ ଅଛି ?

କାହିଁ ଜୀବନର ମୋହ, ବଂଧନ ?

କାହିଁ ଅନଳର ପ୍ରାଣ-ଇଂଧନ ?

କାହିଁ, କେଉଁଠାରେ ପ୍ରାଣ-ପ୍ରାଚୁର୍ଯ୍ୟ ?

ନେବି ସେଇପଥ ବାଛି ।

ଜୀବନବାଦର କାହିଁରେ ସ୍ଵର୍ଗ ?

କେଅଛ ବଂଧୁ ? ଦେଖାଅ ମାର୍ଗ !

ଏଇ ଅଂଧାରେ କାହିଁ ତା ସରଣୀ କହ !

ଏଇ ଏ ପତିତା-ଧରଣୀ ବୁକୁରେ

ମୁଁ ଦେଖୁଛି ଖାଲି

ମୃତ୍ୟୁର ସମାରୋହ ।

ଆଉ ଏ ଆକାଶ ହେବନି ଫର୍ଚ୍ଚା

ବିପଦ ଏଇଠି ଆଲୋକ-ଚର୍ଚ୍ଚା

ଭଂଡର ମହାସଭା ଏ ଦୁନିଆ,

ଭଗବାନ ନିଜେ ପାଜୀ………

ବିଦାୟ ବଂଧୁ, ବିଦାୟ ଦିଅରେ ଆଜି !

 

***

 

ନିଅ ତାର ପଦଧୂଳି

 

ପ୍ରତିବେଶୀ ବଂଗ ସାହିତ୍ୟର ନୂତନ-ସଂଜୀବନ, ବିଶ୍ଵବିଖ୍ୟାତ ବିଦ୍ରୋହୀ କବି କାଜୀ ନଜ୍ ରୁଲ୍ ଇସଲାମଙ୍କ ୬୪ତମ ଜୟନ୍ତି ଗତ ମଇ୨୫, ୧୯୬୩ରେ ଉଦ୍‍ଯାପିତ ହୋଇଯାଇଛି । ଏ କବିତାଟି ସେହି ଉପଲକ୍ଷେ ରଚିତ । କବିତାଟିରେ କବିଙ୍କର କେତେକ କବିତାର ପଙ୍‍କ୍ତିମାନ ସନ୍ନିବେଶିତ କରାଯାଇଛି ।

 

-ପ୍ରକାଶକ-

 

ସିଏ ପ୍ରଶାଂତ, ସିଏ ଅଶାଂତ ବିଦ୍ରୋହୀ-ମହାମେରୁ

ଭାରତର ନୁହେଁ, ସାରା ଦୁନିଆର ସିଏ ଏକ ମହାତରୁ ।

ସେ ଚିର-ସବୁଜ, ସିଏ ଏକ ମହା ପଲ୍ଲବ-ଆବେଦନ,

ଏ ଜନଗଣର ସିଏ କାଂଡାରୀ, ସନାତନ-ଇସଲାମ ।

 

ମହା ପୁରୋହିତ ଅଗ୍ନିଯୁଗର, ପ୍ରଳୟର ବୁଲ୍‍ବୁଲ୍

ହାୟ, ସେତ ଆଜି ମୌନ ନିଥର ଝଡ଼ କାଜୀ ନଜ୍ ରୁଲ୍ ।

ତା’ର ପଲ୍ଲବ-ଶୁଷ୍କ-ଶେଯରେ ରାତ୍ରି ଢୁଳାଏ, ହାୟ,

ଉଷାର ଯାତ୍ରୀ, ଦ୍ଵିପ୍ରହରରେ ଆଜି ଅଚେତନ ପ୍ରାୟ !

 

ଅବମାନିତର ମରମବେଦନା ଆଉ ତ କହୁନି କଥା

ଅଭିମାନୀ-ଚିର-କ୍ଷୁବ୍ଧ-ହିଆର ସୁ-ନିବିଡ଼-କାତରତା,

ପଥିକ-କବିର ଗଭୀର-ରାଗିଣୀ ଆଜି-

ଝର ଝର ଝର ମରୁ ନିର୍ଝରେ ଆଉ ତ ଉଠୁନି ବାଜି !

 

ଈଶ୍ଵର-ଶିର ଲଂଘିବାପାଇଁ ଦିନେ ଅଗ୍ନିର ସିଡ଼ୀ-

ଲଗାଇଥିଲା ଯେ ବସିବ ବୋଲିରେ-ବିଧାତା ବକ୍ଷ ପୀଡ଼ି,

ଖିଆଲୀ ବିଧିର ବକ୍ଷ ଯେ ଦିନେ ଭିନ୍ନ

କରି ଆଂକିଲା ଭଗବାନ ବୁକେ ଆପଣାର ପଦଚିହ୍ନ,

 

ସେହି ଅଶାଂତ ଆତ୍ମା ଆଜିରେ, ବିଦ୍ରୋହୀ ରଣକ୍ଳାଂତ,

ତାହାରି ପୁଣ୍ୟ ଜନ୍ମତିଥିକୁ ପ୍ରଣାମ କର ହେ ପାଂଥ !

 

ଜୀବନ ପଥରୁ ହଟାଇବା ପାଇଁ ଦୁର୍ମତି କୁରୁସେନା,

ଦୁର୍ଯ୍ୟୋଧନର ପଦଲେହୀ ଯେତେ ଦୁଃଶାସନର କିଣା,

ସୁତା ଦେଇ ଯିଏ ସ୍ଵାଧୀନତା ଭୋଗେ, ଜୀବନକୁ ମଣେ ତୃଣ,

ଆରେ ନିରସ୍ତ୍ର, ସୁଝିବାର ପାଇଁ ତା’ର ପୀଡ଼ନର ଋଣ,

ସେ ଦେବଦୂତର ଲାଲ୍ ପଦାଂକ ରେଖା-

ଆଂକ ବୁକୁରେ, ପୋଛିବା ପାଇଁକି ନୀଳ କଳଂକ ରେଖା ।

କୃଷ୍ଣ ମେଘର ନିଶାଣ ଡାକଇ, ଇଶାଣରେ ଦଂଭୋଳି,

ନିଅ ତାର ପଦଧୂଳି ।

 

ମଇ ୨୭,୧୯୬୩

 

ହେ ସାଧକ !

 

(ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ଦେହାନ୍ତରେ…….)

 

ଜୀବନ ଭିତରେ ଯହିଁ, ଯେ ମୁଲକେ ମରଣ ମୁଖର

ବଞ୍ଚିରହିବାଟା ଯହିଁ ଖାଲି ଏକ ସାଧନାର ଫଳ

ସେ ମୁଲକେ ହେ ବିଗତ-ହସ,

ତା’ ଭିତରେ ଥିଲା ତୁମ ବଞ୍ଚିବା ଅଭ୍ୟାସ !

 

ବଞ୍ଚିବା ପାଇଁକି ତୁମେ

ଯେ କୌଣସି ପଂଥାର ଆଶ୍ରୟ-

ବରି ତ ନଥିଲ କେଭେଁ

ହେ ପଥିକ, ହେ ଜୀବନମୟ !

ବଞ୍ଚିବା ପ୍ରକାରେ ତୁମେ ବଞ୍ଚିଥିଲ

ଥରିଥରି ବାର୍ଦ୍ଧକ୍ୟ-ଫୁତ୍‍କାରେ

ତୁମେ ବଞ୍ଚିଥିଲ ପୁଣି

ଯୌବନର ଶାଣିତ-ଚିତ୍କାରେ ।

 

କର୍ମକ୍ଷେତ୍ରେ, ପଥେ-ଘାଟେ

ତୁମ ସହ ବହୁବାର ଦେଖା

ସେ ଦେଖାରେ ଦେଖିଛି ମୁଁ

ଶକ୍ତିଶାଳୀ ମାନବତା,

ଜୀବନର ମହୀୟାନ୍ ରେଖା ।

ଆହେ ପୂର୍ଣ୍ଣ ହସର ଜୁଆର,

ଝଲସିଉଠିଲା କାଲି ସେ ହସରେ

ମରଣର ନୀଳ-ତଲୱାର !

 

ସଂଧାନୀ ମୁଁ ମାନବିକତାର,

ମୋ ସଂଧାନ ପଥେ ମୁହିଁ

ଦୈବାତ୍ ଭେଟିଲି କାଲି

ଧୂମ୍ରପୁଚ୍ଛ ତୁମରି ଚିତାର !

ମନର ସୀମାନ୍ତେ ମୋର ତୁହା ତୁହା ପ୍ରଶ୍ନ ମୋତେ

ବ୍ୟତିବ୍ୟସ୍ତ କଲା,

ଶ୍ମଶାନର ପତ୍ରଝରା ଚଂପାଗଛୁଁ

ଧୀରେ ଧୀରେ ଖସୁଥିଲା ଖରା ।

ଭାବିଗଲି-

ତୁମ ଜନ୍ମଦିନେ କେଭେଁ ଆଜିପରି ଭିଡ଼-

ଜମିତ ନଥିବ ଜମା, ମଣିଷର ଶ୍ରଦ୍ଧାର ପାହାଡ଼,

ହୋଇ ତ ନଥିବ ଗୁଂଥା ଆଜିପରି

ପୁଷ୍ପମାଲ୍ୟ ସେବେ,

ହେ ମାନବ !

ତୁମ ଜନ୍ମଦିବସ ଗୌରବେ, !

 

ମୃତ୍ୟୁଦିନେ ଆଜି କିଆଁ ଏତେ କୋଳାହଳ ?

ପ୍ରଜ୍ଵଳିତ ଅଗ୍ନିଗର୍ଭେ

ଫିଙ୍ଗିବାକୁ ଗୁଂଥା ଫୁଲହାର

କାହିଁପାଇଁ ଏ ପ୍ରତିଦ୍ୱନ୍ଦ୍ୱିତା ?

ମନ ଉପକୂଳେ ମୋର ଏଇ ପ୍ରଶ୍ନ

ବାରବାର ପିଟିଗଲା ମଥା ।

କାହିଁକି, କାହିଁକି ??

ଜନ୍ମ ନୁହେଁ, ମୃତ୍ୟୁଦିନେ ଏତେ ଭିଡ଼ କେଉଁଥି ପାଇଁକି ?

 

ଯେଉଁଦିନ

ସମାରୋହେ ‘ଜନ୍ମଦିନ’ ହୋଇବ ପାଳନ,

ସେହିଦିନ

ମୃତ୍ୟୁ ହେବ ମହୀୟାନ୍

ନିଭିଯିବ ଶୋକର ଜ୍ଵଳନ ।

 

 

 

ତେଣୁ ଆଜି

ତୁମରି ଦେହାନ୍ତ ହେଉ

ଅନାଗତ ସେଦିନର

ପ୍ରବଳ ସୂଚନା,

ଉଦୟର କଳରବେ

ଧ୍ଵଂସପାଉ

ଆଜିର ଏ ଅବାନ୍‍ଛିତ

ଅସ୍ତର ଅର୍ଚ୍ଚନା ।

 

୧୯ ଜାନୁଆରୀ, ୧୯୬୩

***

 

ହେଲେବି

 

ଆମ ଲଲାଟରେ ଆଜି ଭଗବାନ-ଟିକା ଜଳୁଛି

ସଖି, ଦେଖୁନକି ତାର ରକ୍ତଶିଖାର ଜ୍ଵଳନ ?

ଶିବ-ସୁଂଦର-ମଦେ ଅଂତର ଆମ ଢଳୁଛି

ଲାଗେ ଜୀବନାନଂଦେ ଆତ୍ମବିଭୋର ଦୋଳନ ।

 

ସ୍ଵପ୍ନ-ଅମରା ବାସ୍ତବ-ଫୁଲ-ସୌରଭ ବାଜେ ନାଶାରେ,

ଧ୍ଵନିଉଠେ କେଉଁ ଅଜଣା-ଶିଶୁର ଭାଷାରେ !

 

ମରଣ-ଶାଖାରୁ

ଝରିପଡ଼େ ନୀଳ-ପଲ୍ଲବ, ଫୁଲ

ପାହି ଆସେ ଯମ-ଯାମିନୀ,

ସୂର୍ଯ୍ୟ-ଶିଶୁରେ କୋଳେଧରି ଡାକେ

ରକ୍ତ-ଉଷାର କାମିନୀ ।

 

ହୃଦୟର ଶ୍ଵେତ-ଶତଦଳ ମେଲି

ଆଣ ଏତେବେଳେ ନବ-ସୃଷ୍ଟିର ଗଂଧ,

ବିଜୟ-ସକାଳେ

ଦୁର୍ଜୟ-ଗୀତ

ଗାଅ ଭରି ଚିତ,

ପ୍ରାଣ-ପିଆଲାରେ ନବ-ଉଚ୍ଛ୍ଵାସ

ଜଗାଅ ଲୋହିତ-ଛଂଦ !

 

ମହା-ସିଂଧୁର ସଂଧାନୀ ଆମେ

ଆମ ତଳେ ଖାଲି

ମିଳନର ସମାରୋହ ଗୋ,

ନାହିଁ ଥଳକୂଳ

ଆମେ ଛଳଛଳ

ପ୍ରୀତି-ଢଳଢ଼ଳ

ଗୀତି କଳକଳ

ସ୍ରୋତସ୍ଵିନୀର ସୁଅ ଗୋ !

 

କେତେ ପର୍ବତ ପାଦଦେଶ ଧୋଇ

ଗତିପଥେ ଭେଟି କେତେ ବନଭୂଇଁ

ପ୍ରତିବଂଧକ-ସେତୁ ଡେଇଁ ଡେଇଁ

ଯାତ୍ରା ଆମର ସିନା ଗୋ,

ହେଲେବି ରହିଛି ଅଂତରେ ଆମ

 

 

 

ଲୁକାୟିତ-ବିଷ-ବିଦ୍ରୋହ-ଧୂମ

ଆମେଖାଲି ଦୁଇ

ମହା-ପ୍ଳାବନର ବୀଣା ଗୋ !

 

୭ ଡିସେମ୍ୱର, ୧୯୬୧

***

 

ଆସିନାହିଁ ଦିନ

(ଏକ)

 

ତନୁରେ ଝୁଲାଇ ପୀଡ଼ିତ ହୃଦୟ ଚାଲିଛି ମୁଁ ପଥବାହି

ଦୀର୍ଘପଥରେ ମାନବ ଗୋଟିଏ ଦେଖିନାହିଁ, ଦେଖୁନାହିଁ !

ପଦଲେହୀ ଛବି ଦେଖୁଛି ଅୟନେ

ନିରୀହ-ମେଷର ଭାବ ଯା ନୟନ

ପ୍ରତିଭାର ମରୁ ଯେଉଁ ଦେଶମାଟି, ପଉରୁଷ-ଶମଶାନ

ସେଇ ମାଟିର ମୁଁ ଦଳିତ-ଦୂର୍ବା, ସେଇ ମାଟିର ମୁଁ ଗାନ ।

 

ଯେ ଦେଶେ ଜନ୍ମି ଅଂତରୁ ମୋର ମଲା ଭଗବତ୍-ସତ୍ତା

ଧର୍ଷିତ ହେଲା ସମ୍ମାନ ଯହିଁ ଜୀବନର ନିରାପତ୍ତା,

ହୋଇଲା ‘ଅତୀତ’ କ୍ଷତ-ବିକ୍ଷତ

ଅଂଧାର ହେଲା ଦିନ-‘ଅନାଗତ’

ଆଶା-ନିରାଶାରେ ମାନସ, ହୃଦୟ ସ୍ପଂଦିତ ଦିବାନିଶି

ଯଉବନ ଗଲା ଦୁଃଖ-ନଦୀର ତୀର-ତରୁତଳେ ବସି ।

 

ହେଲି ବେଦୁଇନ୍, ହୋଇଲା ପ୍ରବାସ ଆପଣା ଜନ୍ମମାଟି

ଲୁଂଠିତ ହୋଇ ହେଲା ପୁଣି ଶେଷେ ଶେଷ-ସମ୍ବଳ ଲୁଟି

ଆଇନ-କାନୁନ୍ ଦେଲାନାହିଁ କାମ

ଚମତ୍କାର ଏ ଦୁର୍ନୀତି-ଧାମ !

ପ୍ରତି ପଦପାତେ ନୀତିର ପୂଜାରୀ ଲଭିଛି ମୁଁ ପରାଜୟ

ଯେଉଁଆଡ଼େ ଚାହେଁ ଗଢ଼ିଉଠେ ହାୟ, ଦୁର୍ନୀତି-ଦେବାଳୟ !

 

ଆଶା-ଭାଷା ଯହିଁ ନିଦ୍ରିତ-ଚିର ଗତିଶୀଳ-ଶବାଧାରେ,

ଜୀବନ-ମୁରଲି ଝୁରିମରେ ନିତି ଯହିଁ ଅସହାୟ-ସୁରେ,

ସେଠି ମୁଁ କରିବି କି ନୂତନ ଆଶା ?

‘ସ୍ଵାଧୀନତା’ ଛବି ମୋ ଆଗେ ଝାପ୍‍ସା

ସବୁତ ଭଂଡ, ସବୁ ପାଷାଂଡ, ସବୁତ ଛଦ୍ମବେଶୀ,

ସବୁ ଅଂଧାର, କେଉଁଠି ଆଲୋକ ? କେଉଁଠି ପୌର୍ଣ୍ଣମାସୀ ?

 

‘ମରଣ’ ଯେଉଁଠି କ୍ରମାଗତ ଭାବେ ‘ଜନ୍ମ’କୁ ଉପହାସେ,

ଗଣିକା-କୁଂଜେ ଭଗବାନ ଯହିଁ ମତ୍ତ ପାଶବ-ରାସେ

ସେଠି ମୁଁ କରିବି କା ସାଥେ ସାଲିସ୍ ?

ଯେଉଁଆଡ଼େ ଚାହଁ ଚାଲିଛି ମାଲିସ୍

ରଣକ୍ଳାଂତ ମୁଁ ପଥବାସୀ-କବି ବିଶ୍ରମେ ପଥଧାରେ

ଶୋଣିତ-କାବ୍ୟ ରଚନା କରେ ମୁଁ ଶାଣିତ-କଲମ ଗାରେ ।

 

 

 

(ଦୁଇ)

 

ମୁଁ କିଆଁ ଜାଗିବି, ସ୍ଵାର୍ଥ ତ୍ୟାଗିବି, ନିଜ ବିଶ୍ରମ ତେଜି ?

ଫୁଟୁ, ଯେତେ ଅଛି “ଦେଶପୀରତି”ର ଫାଙ୍କା ଆତସବାଜି ।

ମୃତ୍ୟୁର ଝଡ଼େ ଥରି ଦୀପଶିଖା,

ମୁଁ କିଆଁ ନାଚିବି ଆଲୋକ-ବାଳିକା ?

“ଦେଶ”ତ ସରିଛି, “ପୀରତି” ମରିଛି, ଅଛି ପଶୁତାର ରାତି

“ନରଦେହୀ” ନାମେ ଛଂତି କେବଳ ଦଳେ ଜାନୁଆର୍ ଜାତି ।

 

ମୁହିଁ ପଥବାସୀ ବିଶ୍ରମେ ବସି ଅଶ୍ରୁ-ଆଲୋକ ଜାଳି,

ଆସିନାହିଁ ଦିନ ସେହି ଅନାଗତ । ‘ଜାଗ୍ରତ’ ହେବା ପାଳି !

ଆସିବ ଯେଦିନ ସେହି ଦିନ-କାଳ

ଲେଖନୀ ମୋ ସେବେ ପାଲଟିବ ଶୂଳ

ମୁଠାର କୁଠାର ଶାଣିବି ସେବେ ମୁଁ ନୂତନ-ସୃଷ୍ଟି ପାଇଁ

ଜାଗିବି ନବୀନ-ଜୀବନ-ବନ୍ୟା, ଆଦିମ-ମରଣ ଜୟୀ ।

 

ମୁଁ ଯେବେ ଜାଗିବି ରୁଧିର ମାଗିବି, ମାଗିବ ମୋ କରବାଳ,

ଭୂମିକଂପର ଭୀମ-କଂପନ ମାଗିବ ମୋ ପଦତଳ ।

ଆଣି ବିପ୍ଳବ, ହୋଇ ନିଶଂକ

ବାଜିବି ସେଦିନ ଶୋଣିତ-ଶଂଖ

ବଜାଇ ବଜାଇ ଦେହ-ପଂଜରେ ଝଂଜାର କରତାଳ

ଧରିବି ସେଦିନ ଆକ୍ରମଣର ପ୍ରତିରୋଧୀ-ତରବାର ।

 

ଜନ୍ମିବି ସେବେ ନବ-ଭଗବାନ, ଦୁଷ୍କୃତି ନାଶ ଅର୍ଥେ,

ଧର୍ମର ପୁନ-ସଂସ୍ଥାନ ପାଇଁ ଏ ମାନବ ଭୂମି ମର୍ତ୍ତ୍ୟେ ।

ପରାଜିତ କରି ଯମ-ଦରବାରୀ

ସରିଥିବା ଆୟୁ ଆସିବି ମୁଁ ଫେରି

ଉଦୟ ରବିର ଜ୍ଵଳଂତତୀରେ ହସାଇବି ଏଇ ସୃଷ୍ଟି

କୁହେଳିକା କାଟି ଆଖିରେ ଆଖିରେ ଭରିବି ନୂତନ ଦୃଷ୍ଟି ।

 

ଦୁଃସହ-ଆତତାୟୀ ମୁଁ ହସିବି ସେଦିନ ମରଣ-ଦୁଆରେ

ସବୁ ବୁଡ଼ାଇବି ସେଦିନ ଜୀବନ ବନ୍ୟାର ଜଳ-ଜୁଆରେ ।

ପୋଛି ଅନୀତିର ଯେତେ କୋଳାହଳ

ଫୁଟିବି ସେଦିନ ରକ୍ତ-କମଳ

ସାଗର-ମେଖଳା ଆଦିମାତା-ଧରା ଆହ୍ନିକ ଗତି ଥମାଇ

ବସିବି ସେଦିନ ନିଷ୍କଂଟକେ ଆସ୍ଥାନ ନିଜ ଜମାଇ ।

 

ପାଶବିକତାର ଜୟଗାନେ ନିତି କଂଠ ମୁଖର ଯାହାର,

ଯିଏ ନିତି ଲୁଟେ ସାରା ଦୁନିଆର ନିଃସ୍ଵ-ଶିଶୁର ଆହାର,

ପଚାରିବି ତାକୁ ପ୍ରଶ୍ନ ଭୀଷଣ

କୃଷ୍ଣମେଘର ଉଡ଼ାଇ ନିଶାଣ

କୃତାଂତ ଡାକ ଡାକିବି ଦୁଆରେ, ନୀଳ-ପରବାନା ନେଇରେ,

ମୁହିଁ ସେ ମରଣ, କରୁଅଛି ପଣ, ପଥଧାରେ ଏଠି ଶୋଇରେ !

 

ଆସୁଅଛି ଦିନ ଉଠିବି ଯେଦିନ ଅସ୍ତ-ଅଚଳୁ, ରବି-

ପୂର୍ବରେ ଆଣି ଲାଲ-କୋଳାହଳ, ପ୍ରଭାତର ଭୈରବୀ

ଅଂତରେ ଧରି ଝଡ଼ର ଠୁମୁରି

ପାରାବତ୍ ସେବେ ଉଠିବି ଗୁମୁରି

ସୂର୍ଯ୍ୟର ମେରୁଦଂଡ ଓପାଡ଼ି ଈଶ୍ଵର ଶିରେ ପିଟି,

ସୌରସିଡ଼ୀରେ ଉଠିବି ସେଦିନ ଉଲ୍‍କାର ଫୁଲ ଫୁଟି ।

 

୭ ଡିସେମ୍ବର, ୧୯୬୨

***

 

ସୂର୍ଯ୍ୟଟାଏ

 

(ସାମ୍ବାଦିକ ବାଳକୃଷ୍ଣ କରଙ୍କ ଦେହାନ୍ତରେ…)

 

(ଏକ)

 

ଚାରିଆଡ଼େ ଖାଲି ପଡ଼ିଅଛି ହୁରି, ଖବର କାଗଜ ସ୍ତଂଭ କହେ-

ସାଂବାଦିକତା-ନଭୁଁ ଖସିଗଲା ସୂର୍ଯ୍ୟଟାଏରେ…ସୂର୍ଯ୍ୟଟାଏ !!!

କିନ୍ତୁ ମୁଁ କହେ ଖସିନି ସୂର୍ଯ୍ୟ

ଏଇ ଯେ ଶୁଭୁଛି ତାହାରି ତୂର୍ଯ୍ୟ !

ଛାଡ଼ିଦିଅ ପଥ, ରୁଦ୍ଧ ନ କର, ଉଦୟର ପଥ ମାଗୁଛି ସିଏ-

ସୂର୍ଯ୍ୟଟାଏରେ…ସୂର୍ଯ୍ୟଟାଏ !!

 

(ଦୁଇ)

 

ମୁକ୍ତାକାଶେ ତା’ ଖବରକାଗଜ ହେଉଛି ଛାପାରେ…

ହେଉଛି ଛାପା,

ଅବୟବେ ତା’ର ଜୀବନ-ଭାଷ୍ୟ ହୋଇଛି ଲେଖାରେ…

ହୋଇଛି ଲେଖା !!

ଏଇ ଶୁଭେ ତାର ମସୀ-ଆହ୍ଵାନ,

ସଂପାଦକୀୟ-ବଂଶୀର ସ୍ଵନ !

ସାଧନା ସରିନି; ବଦ୍ଧ-ପାଗଳ-ବୁଦ୍ଧ ସିଏ-

ସୂର୍ଯ୍ୟଟାଏରେ…ସୂର୍ଯ୍ୟଟାଏ !!!

 

କଂସ-କାରାରେ ବାଳ-କୃଷ୍ଣ ତ ଜନ୍ମ ନିଏରେ…ଜନ୍ମ ନିଏ,

ଜୀବନ-ଯୁଦ୍ଧେ ହାରିବାର ସିଏ ଜଂତୁ ନୁହେଁରେ ଜଂତୁ ନୁହେଁ !!

ତ୍ରସ୍ତ ନହୁଅ ଶୋକାତୁର ଜନ,

ଟଳିବରେ ଦିନେ କଂସ ଆସନ !

ରୁଦ୍ର ମାତିବ, ରୌଦ୍ର ତାତିବ ମରଣ ବ୍ୟୂହେ,

ସୂର୍ଯ୍ୟଟାଏରେ…ସୂର୍ଯ୍ୟଟାଏ !!!

 

୭ ଅଗଷ୍ଟ, ୧୯୫୭

***

 

ସେଦିନର କବିତା

 

 

ମାନବୀୟ ଅସ୍ତିତ୍ଵର ଆଧ୍ୟାତ୍ମିକ-ଅଂତଃସ୍ତରେ

ଲୁକ୍କାୟିତ ଦାନବୀର ପ୍ରଚଣ୍ଡ ଆଘାତେ,

ମୁଁ ଆଜି ଆହତ ସଖି,

ଜୀବନର ପ୍ରତି ପଦପାତେ !

 

ମନ, ପ୍ରାଣ ଆହତ ମୋ’

ଆହତ ମୁଁ କବି,

ମୋ’ ସୃଷ୍ଟି ଆହତ ପୁଣି

ମର୍ମାହତ ମୋ କାବ୍ୟର ଫୁଟଂତ କରବୀ ।

ମୋର ସେହି ମର୍ମାହତ-ଜୀବନର ଗାଥା-

ମୋ’ ସମସ୍ତ ରଚିତ କବିତା ।

 

 

ସେହି କବିତାର-

ପ୍ରତି ଲିପି, ପ୍ରତି ଛନ୍ଦ, ପ୍ରତିଟି ଯମକ

ମନେ ତବ ଆଣିଅଛି

ଆଶଂକାର ବିଦ୍ୟୁତ୍ ଚମକ !

 

ସେ ଚମକ ଦେଖିଛି ମୁଁ

ତୁମରି ଏ ବଦନ-ବ୍ୟୋମରେ

ଆପଣାର ଖଡ଼୍‍ଗଧାରେ

ଆଉ ପୁଣି ଯୁଦ୍ଧଭୂମେ, କମାଣ-ଧୂମରେ ।

 

 

ବଞ୍ଚିବି ମୁଁ ମରିଥିଲି

ଥାଇ ବି ମୁଁ ସରିଥିଲି

ପ୍ରାଣ ମୋର ଜ୍ଵଳମାନ୍-ପ୍ରଦୀପର ପ୍ରାଣ,

ଶିଖାଟି ମୋ ହୋଇଥିଲା ଅତୀତେ ଲୁଂଠନ ।

 

ଲୁଂଠିତ-ଶିଖାକୁ ମୋର

ପୁନର୍ବାର ଆଣିଛି ମୁଁ ଆଣିଛି ଛଡ଼ାଇ,

ଜୀବନ ବ୍ୟାପୀରେ ସଖୀ,

ଲୁଂଠକରେ ଗୋଡ଼ାଇ ଗୋଡ଼ାଇ !

 

 

 

ତୁମେ ଜାଣିବାକୁ ସିନା ମୁଁ ଜଳୁନି

ହୃଦହୀନ ଧରଣୀ-ଠଣାରେ,

କିନ୍ତୁ ମୁଁ ଜଳୁଛି ସଖି, ଛିନ୍ନପକ୍ଷ ।

ମୋ’ ଅନ୍ତିମ ଶୋଣିତ କଣାରେ !

ଲେଳିହାନେ ମୁଁ ଜଳୁଛି ଦେଖ ସୂର୍ଯ୍ୟଓଠେ !

ହସିହସି ଲୋଟୁଛି ମୁଁ ସୌରର ସୋପାନେ,

ମୁଁ ଜଳି, ହସୁଛି ପ୍ରିୟେ,

ମୋ’ ଔରସେ ତୁମଜାତ ସନ୍ତାନର ମନେ !

 

 

ବାନ୍ଧିଛି ମୁଁ, ବାନ୍ଧିଛି ଗୋ ଆଶା !

ନିଶାଅଂତେ ଭେଟିବାକୁ ଅନାଗତ-ସକାଳ ପୂର୍ବାଶା ।

ଦେଖିବାକୁ-

ମାନବୀୟ ଅସ୍ତିତ୍ଵରେ ଲୁକ୍କାୟିତ ଦାନବୀ ମରଣ

ରାତିର ସୀମାଂତେ ଯେବେ ସକାଳର ବୋମା-ବିସ୍ଫୋରଣ,

ରହସ୍ୟର ତାଲା ଗର୍ଭେ-

ଘୂରିବ ଘୂରିବ ଯେବେ ବିଦ୍ରୋହୀର ଚାବି,

ପ୍ରଥମ ଦର୍ଶକ ମୁହିଁ ସେ ଦୃଶ୍ୟର

ଏ କବିତା ଅନାଗତ ସେ ଦିନର ଛବି ।

 

୨୦ ଜୁଲାଇ, ୧୯୬୨

 

(ଆକାଶବାଣୀ କଟକକେନ୍ଦ୍ରଙ୍କ ସୌଜନ୍ୟରୁ)

***

 

ପରିଚୟ

 

(୧)

 

ସୁଦୂର ସେ ଅତୀତ କାହାଣୀ…….

ବିଧାତାର ସୌଧ କୋଳେ

ଜନ୍ମିଥିଲା ଏକ ଶିଶୁ-ଫଣୀ ।

ବିଧାତାର ସିଂହାସନ ତଳେ,

ବଢ଼ୁଥିଲା ସର୍ପଶିଶୁ

ଏ ସୃଷ୍ଟିର ଦୃଷ୍ଟି ଅନ୍ତରାଳେ ।

 

ଚନ୍ତ୍ର ତା’ର ବଢ଼ୁଥିଲା,

ପ୍ରସାରିତ ହେଉଥିଲା ଫଣା

କାହାରିକୁ ଦଂଶନ-କଳ୍ପନା-

ସ୍ଵପ୍ନେ ଥିଲା ନାହିଁ…….

ହେଲେ ମଧ୍ୟ ସର୍ପ ଶିଶୁ

ହେଲେ ମଧ୍ୟ ସିଏ ବିଷବାହୀ ।

 

 

 

(୨)

 

କିନ୍ତୁ ତା’ର ମାତା

ସୁ-ଶିକ୍ଷିତା ଦଂଶନ-ପଣ୍ଡିତା

ପ୍ରତିଟି ମୁହୂର୍ତ୍ତ ଥିଲା

ସମ୍ମୁଖେ ତା ଅତି ଭୀତିପ୍ରଦ,

 

ହଠାତ ହୁଏତ କେବେ

କ୍ଷମତାଂଧ ବୃଦ୍ଧ ବିଧି

ପାଇବ ସମ୍ବାଦ-

ଆପଣାର ସିଂହାସନ ତଳେ……..

ବିଷବାହୀ-ଅହି ବାସକରେ !

 

ପରେ ପରେ-

ସୃଷ୍ଟି ହେବ ଯାବତୀୟ

ହୀନ-ଆକ୍ରମଣ,

ଯାବତୀୟ ହୀନ ପନ୍ଥା

ବରିନେବେ

ବିଧାତାର ଅନୁଚର ଗଣ ।

 

ଶେଷେ ମୃତ୍ୟୁ ଆସିପାରେ

ବିଧାତାର ସାଜି ଅନୁଚର

ବିଧାତା ତ ଅତ୍ୟାଚାରୀ,

ମୃତ୍ୟୁ କିଆଁ ନହେବ ବର୍ବର ! ?

କରିବାକୁ ଏ ସବୁର ମୁକାବିଲା,

ହେବାପାଇଁ ତା’ର ସମ୍ମୁଖୀନ

ସର୍ପଶିଶୁ ଜନନୀର ଫଣାରେ କଂପନ-

ଜାଗୁଥିଲା

ଦିବା-ରାତ୍ରି ଗରଳ-ନଂଦିନୀ

ମରଣର ବୃନ୍ଦାବନେ କରିବାକୁ

ବିଷ-ବଂଶୀଧ୍ଵନି,

 

ଘେନୁଥିଲା ବିଷାକ୍ତ-ଶପଥ

ଉଠି ଘନ ଘନ,

ନିଜେ ପଛେ ଧ୍ଵଂସ ପାଉ

ସନ୍ତାନ ତା ହେଉ ମୃତ୍ୟୁହୀନ ।

ଥିଲା ତା’ର ଏ ଶେଷ କାମନା,

ବିଧି-ସିଂହାସନ ତଳେ

ନୀରବରେ ବାଜୁଥିଲା

ଉତ୍କଟ ବିଷର ଏକ ଉଦ୍‍ବେଗ ବାଜଣା ।

 

(୩)

 

ବହୁଦିନ ଯାଇଅଛି ବିତି

ବିଧାତାର ଇମାରତେ

ଆଉ ଏବେ ନାହିଁ ସର୍ପ ଭୀତି ।

ସର୍ପ-ଶିଶୁ ପଳାଇଛି କାହିଁ !

ମାଆ ତା’ର ମରିଛିତ, ଏଇ !-

ସେହିଦନ,

ଅ-ଚପଳ ବିଦ୍ୟୁତ୍-ତନୁ ତା’-

ଆଖି ଆଗେ ନିଜେ ସ୍ଵୟଂ ଦେଖିଛି ବିଧାତା !

 

(୪)

 

ଆଜି ପୁଣି ବହୁଦିନ ପରେ

ଦାରିଦ୍ର୍ୟର ବିକଟ-ବିବରେ

ଦିବା ନାହିଁ, ରାତ୍ରି ନାହିଁ

ନିର୍ଭୟରେ ସତେ ବା କେ ଲୋଟିଯାଏ ହସି,

ସ୍ରଷ୍ଟା ଆଉ ସୃଷ୍ଟି ମେଧ ଯଜ୍ଞ ମନ୍ତ୍ର

ପାଠ କରେ ବସି !

ଭୂମିଗର୍ଭ ଅଂଧକାରେ କା’ର ଏ କ୍ରନ୍ଦନ ?

ମୃତ୍ୟୁହୁଏ ଆତଙ୍କିତ, ଥମିଯାଏ ଧମନୀ-ସ୍ପନ୍ଦନ ।

 

ବାଜିଉଠେ ପ୍ରଭଞ୍ଜନ ବୀଣା

କୃଷ୍ଣମେଘ-ବିମାନର ଡେଣା

ପ୍ରବଳ ସୂଚନା ଏ କି ପ୍ରଳୟର

ଇଶାଣରେ ମୁକ୍ତକେଶୀ ଝଡ଼,

କି ଏକ ବେଦନା ଘେନି

ବଜ୍ର ଆଜି ଚୂନା କରେ

ଇସ୍‍ପାତ ପାହାଡ଼ !

 

ଏକି ବ୍ୟଂଗ, ଏକି ଉପହାସ,

ଧ୍ଵଂସର ଶପଥ ଘେନେ ଲୁକ୍କାୟିତ କା’ର ଦୀର୍ଘଶ୍ଵାସ ?

ହତବାକ୍, ବିସ୍‍ମିତ ଈଶ୍ଵର

ଏତେଦିନେ ଅକସ୍ମାତ୍ ଆୟୁରେଖା

ନିଭିଯିବ ଏ ମହା ବିଶ୍ଵର !

ବିଶ୍ଵବ୍ୟାପୀ ଜାଗେ ପ୍ରଶ୍ନ, ଲାଗେ ଘୂର୍ଣ୍ଣିପାକ

କା’ର ସୃଷ୍ଟ ଏହି ଦୁର୍ବିପାକ !!

 

 

 

(୫)

 

ଗୋଟିଏ ଉତ୍ତର ଖାଲି

ବତାସର ଆନ୍ଦୋଳିତ ଗର୍ଭତଳୁ

ମିଳେ ବାରବାର,-

“ଜନନୀ ଯାହାର ମୃତ

ମୁହିଁ ସର୍ପ-ସନ୍ତାନ ତାହାର ।

 

ଯା ଜୀବନେ ମୃତ୍ୟୁର ସମ୍ମାନ-

ଦାନକରି

ଚର୍ତୁମୁଖ ଭୋଗକରେ ବିଧି-ସିଂହାସନ ।

 

ମୁଁ ତାହାର ପୁତ୍ର-ପଳାତକ,

ଆଜି ମୁଁ ଗରଳ-ଯୁବା

ଅନ୍ତରେ ମୋ ଜନନୀର

ମୃତ୍ୟୁହୀନ-ଶୋକ-

ମୁଁ ଆଜି ଉଠିଛି ଜଳି, ଯୌବନେ ମୋ

ସର୍ବଗ୍ରାସୀ ଶିଖାର ପାବକ ।

 

 

 

ଜାଳିବାର କବି,

ମୁଁ ଆଜି ଉଠିଛି ଜଳି, ଆଙ୍କିବାକୁ

ସ୍ନେହମୟୀ ଜନନୀର ଛବି

ଏ ସୃଷ୍ଟିର ଭସ୍ମବୁକେ

ମୋ ମାଆର ଶୋକ-ପଦ୍ମତୋଳା

ନିର୍ଦ୍ଦେଶିଛି ଆଜି ମୋତେ

ଧରିବାକୁ ସ୍ଵେଚ୍ଛାଚାରୀ ଏ ସ୍ରଷ୍ଟାର ଗଳା ।”

 

୧୫ ଜୁନ୍, ୧୯୬୩

***

 

ଚେତାବନୀ

 

(୧)

 

ଅଗ୍ରଗତିର ତୋଫାନ୍ ଉଠାଇ

ଆଦି-ବ୍ୟାଧି-ଜରା-ମୃତ୍ୟୁ ହଟାଇ

ରାତ୍ରି ଶେଷର ବିମାନ ଛୁଟାଇ

ଫୁଲି ଫୁଲି ଉଠେ

ଆଜି ଯଉବନ-ବନ୍ୟା,

ନିଶା-ଅବସାନେ ଉଠିଛି ସୂର୍ଯ୍ୟ-

ଜାଳି ଅପମାନ । ଅମିତ-ବାର୍ଯ୍ୟ

‘ପୁରାତନ’ ଦ୍ଵାରେ ‘ନୂତନ’ ତୂର୍ଯ୍ୟ

ବଜାଇ ବଜାଇ ନାଚେ ବିଦ୍ରୋହୀ କନ୍ୟା ।

ପୁରାତନତାର ଭୃତ୍ୟ ଯେତେରେ

ନୂତନର ପ୍ରତିବନ୍ଧ !

ଦୃଷ୍ଟିଗୋଚର ହେଉନିକି ଏହା, ଅନ୍ଧ ?

 

 

 

 

(୨)

 

ବାଟ ଛାଡ଼ିଦିଅରେ ଜରଦ୍‍ଗବ,

ଦେଖାଅନା ଆଉ ମୁଖ ଅବୟବ

ଧୂର୍ତ୍ତତା ତୁମ ଶୃଗାଳସୁଲଭ

ତୁମେ ତ ଶିଥିଳ, ଜଡ଼ତାର ପ୍ରତିମୂର୍ତ୍ତି,

ତୁମେ ‘ଅତୀତ’ର ପ୍ରେତ-ପଟୁଆର

ତୁମେ ତ ଶିଳ୍ପୀ ପାନ ବଟୁଆର

ତୁମେ କି ବୁଝିବ ଏ ନୂତନତାର

ଗଢ଼ିଉଠେ ଯେଉଁ କୀର୍ତ୍ତି !

 

(୩)

 

ଅଗ୍ରଗତିର ବିଦ୍ୟୁତ୍ ଦେଖ ଜମୁଅଛି, ଅନ୍ତରେ !

ଯଉବନ ଆଜି ଶପଥ-ବଦ୍ଧ ହୁତାଶନ-ମନ୍ତରେ ।

ଭେଟିବାର ପାଇଁ ନୂତନ-ବିଶ୍ଵ

ସମ୍ଭାବନାର ଶୋଣିତ-ଅଶ୍ଵ

ଆଜି ଯେତେବେଳେ ଛୁଟେ…

ତୁମେ ସେତେବେଳେ ପାଚିଲା ପତର

 

 

 

ଯେତେରେ ପଙ୍ଗୁ, ଯେତେରେ ନିଥର

ହତବୁଦ୍ଧିର ଯାତନା ମୁହଁରେ ଫୁଟେ ।

 

(୪)

 

ତୁମେ କି ଦେବରେ “ସ୍ଵୀକୃତି” କା’ରେ

ନିଜେ ସ୍ଵୀକୃତ ନୁହଁ,

ଅଗ୍ରଗତିର ଶିବିରେ ଶିବିରେ

ତୁମେ ଜଡ଼ତାର ବ୍ୟୂହ ।

ଜୀବନ ତୁମର ଅତି କୁ-ଚକ୍ରି, ତୁଚ୍ଛ,

ସଉଦା ତୁମର ସରିଛି ହାଟରୁ

ଯାତ୍ରା ତୁମର ସରିଛି ବାଟରୁ

ଅନାଉଛି କିଆଁ ମୃତ୍ୟୁ-କୋଟରୁ

ଚାହୁଛ ବୃଦ୍ଧ, ପୁଣି ଯଉବନ-ପୁଚ୍ଛ ?

ଯଉବନ ହାୟ ତୁମଠାରୁ ଦୂରେ

ବିଦ୍ରୋହ ସୁରେ

ଗାଏ ନୂତନର ଗାନ,

ତାହାରି ଭିତରେ

ପୁରାତନତାର

ମରଣ କମ୍ପମାନ ।

 

୧୫ ମାର୍ଚ୍ଚ, ୧୯୬୩

***

 

ହେ ମୋର ହୃଦୟ !

 

(୧)

 

ବାଜ ବାଜ ବାଜ ମୃଦୁ-ଗଂଭୀରେ ହୃଦ-ଦୁଂଦୁଭି ମୋର,

ଭୂମିଗର୍ଭର ଅନ୍ଧାରେ ଆଣି କମ୍ପନ, କୋଳାହଳ !

ଧ୍ଵଂସର ତଳେ ସୃଷ୍ଟିର ମାୟା-

ବହି ମହାକାଳ, ବିସ୍ତାର କାୟା

ଆଦିମ ଅଚଳ ସୃଷ୍ଟି ନିୟମେ ଜାଳରେ ଅଗ୍ନି, ଜାଳ,

ପ୍ରଳୟୀ ମେଘର ଧୂମଜଟ ମେଲି ଗ୍ରାସ ଏ ଗଗନ ତଳ !

ହେ ମୋର ହୃଦୟ, ଜନ୍ମତିଥିର

ସୂର୍ଯ୍ୟ ଉଦୟେ ଆଜି,

ବନ୍ଧୁଦଳର ‘ଦୀର୍ଘଜୀବନ କାମନା’ର ଦାନ ତେଜି

ଉତ୍ତୋଳ ତୋର ପ୍ରଳୟ-ପତାକା

ଜଳରେ ଅନଳ ମେଲି କୋଟି ଶିଖା,

ଚିତ୍କାର ନୁହେଁ ଗରଳବାହୀରେ, ଲୋଡ଼ା ବିଷ-ଫୁତ୍କାର,

ଅମୃତମୟ-ଦୁନିଆର ସୀମା ସୁଦୂରେ ଚମତ୍କାର !

 

ବସନ୍ତ ପଞ୍ଚମୀ, କବିଙ୍କର ଜନ୍ମଦିବସ । ସେହି ଦିବସରେ ବହୁ ବନ୍ଧୁ, ଶୁଭେଚ୍ଛୁମାନଙ୍କର ଦୀର୍ଘଜୀବନ କାମନାର ପ୍ରତ୍ୟୁତ୍ତରରେ ଏହାର ରଚନା । -ପ୍ରକାଶକ ।

 

(୧)

 

ଖରତର ବର ଚରଣର ଗତି, ସେଇ ଦୁନିଆର ପଥେ

ରକ୍ତ ବସନ ସଜ୍ଜିତ କର ନିଜ ଅଭିଯାନ-ରଥେ !

ପୋଛିଦେଇ ମନୁ ‘ଜନ୍ମ’ର ସ୍ମୃତି

ଦ୍ରୁତକର ନିଜ ସ୍ୟଂଦନ ଗତି

ବିଶ୍ଵରୀତିର ମରଣର ପୋଥି କରରେ ଉଦ୍‍ଘାଟନ,

ଅ-ଶିବ ନାଶନେ ଆଜି ଆରମ୍ଭୁ ଶିବ ତା’ର ଅଭିଯାନ ।

 

(୨)

 

ବାଣୀର କମଳ-କାନନେ ମତ୍ତ-ବାରଣର ଆଜି ଭିଡ଼

ମରଣ-ଛନ୍ଦେ ନାଚେ ଦୀପଶିଖା, ନଚାଏ ତାହାକୁ ଝଡ଼ ।

ମୁକ୍ତ କରତୋ ଚେତନାର ମୁଣା

ହେ ମୋର ହୃଦୟ, ରୁଦ୍ରର ବୀଣା,

ସଞ୍ଚର ଆଜି ନୂତନ-ଜୀବନ ମୃତ-ଝଙ୍କାର ତଳେ

ଆଣ ଅ-ମଳିନ ସତେଜତା ଅତି ବାଣୀ ଶ୍ଵେତ-ଶତଦଳେ !

ଆଜି ସମସ୍ୟା-ମୂକ-ବାଗଦେବୀ କଣ୍ଠରେ ଦେବା ଭାଷା

ଗୀତେ-ସଂଗୀତେ ଭରିବାକୁ ହେବ ନୂଆ ସୁର, ନୂଆ ଦିସା

ମୃଦୁ-ଗଂଭୀରେ ବାଜ ମୋ ହୃଦୟ,

ଫିଙ୍ଗି ସୁଦୂରେ ଯେତେ ବରାଭୟ

ଲଲାଟ ପଟରୁ ପୋଛି ‘ପରାଜୟ’, ପ୍ରବଳ ଶକ୍ତିମାନ,

ଜୀବନ ପରଶେ ହେଉ ଆଜି ହେଉ ମୃତ୍ୟୁଟା ମହୀୟାନ୍ ।

 

ବସନ୍ତ ପଞ୍ଚମୀ,

୧୯୬୩

***

 

“ରବୀନ୍ଦ୍ରନାଥ ସିଂହ ଓଡ଼ିଶାର ଏକ ଚାରଣ କବି । ନୂତନ ଯୁଗର ପ୍ରଭାତୀ ଗୀତ ତାଙ୍କ ଲେଖନୀରେ ଫୁଟିଉଠୁଛି । ତାହା ଭିତରେ ରହିଛି ଯାହାକିଛି ଅତୀତ, ଯାହାକିଛି ଗତାୟୁ ସବୁରି ବିରୁଦ୍ଧରେ ଏକ ଚରମ ପତ୍ର । ସେ ଚରମ ପତ୍ର ପଛରେ ରହିଛି କୌଣସି ସଂଗଠିତ ଶକ୍ତିର ଜୋର-ଜବରଦସ୍ତି ନୁହେଁ, ଏକ ନିଃସଙ୍ଗ ଏକକ କଣ୍ଠର ଆନ୍ତରିକ ବିଦ୍ରୋହ । ଗୋଟାଏ ବିରାଟ ପ୍ରତିବାଦ ।

 

“ଜଣେ ନିର୍ଭୀକ ଅନାବିଳ ଆଦିବାସୀ ଯୁଆନ୍‍ପରି ସେ ହତ୍ୟା କରିଥିବା ନରମୁଣ୍ଡଟା ହାତରେ ଧରି ଥାନାରେ ଆସି ହାଜର । ତାଙ୍କୁ ଆବିଷ୍କାର କରିବାପାଇଁ ଦାରୋଗାଙ୍କୁ କୌଣସି ଶ୍ରମ-ସ୍ଵୀକାର କରିବା ପାଇଁ ସେ ଦେଇ ନାହାନ୍ତି । ଏଇଟା ତାଙ୍କ କାବ୍ୟକର୍ମ ପକ୍ଷରେ ଅ-ଗୌରବର ବିଷୟ ନୁହେଁ ।”

 

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ

***